ଭୁବନେଶ୍ବର: ରାଜଧାନୀର ଲୋୟର ପିଏମଜିରେ ଦୀର୍ଘ ୨୧ ଦିନ ଧରି ଚାଲିଥିବା ସ୍କୁଲ ଓ କଲେଜ ଶିକ୍ଷକ ଏବଂ କର୍ମଚାରୀ ସମନ୍ୱୟ ସମିତିର ଆନ୍ଦୋଳନ ଶେଷରେ ସ୍ଥଗିତ ହୋଇଛି। ବର୍ଷା ଓ ପ୍ରଖର ଖରାକୁ ଖାତିର ନକରି ଆନ୍ଦୋଳନରେ ବସିଥିବା ହଜାର ହଜାର ଶିକ୍ଷକ ଓ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରଙ୍କୁ ସେମାନଙ୍କ ଦାବି ଶୁଣିବା ପାଇଁ ସଂଘ ପକ୍ଷରୁ ୧୫ ଦିନର ସମୟସୀମା ବା ଅଲ୍ଟିମେଟମ୍ ଦିଆଯାଇଛି।
ଆନ୍ଦୋଳନର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ଅନୁଦାନରୁ ବଞ୍ଚିତ ହୋଇଥିବା ୧୯୪ଟି ବିଦ୍ୟାଳୟକୁ ଅନୁଦାନ ବ୍ୟବସ୍ଥା କରାଯିବା, ଅବସର ପରେ ଚାକିରି ସର୍ତ୍ତାବଳୀରେ ସୁଧାର ଆଣି ପେନସନ୍ ସୁବିଧା ପ୍ରଦାନ ଏବଂ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରାଯିବା ଅନ୍ତର୍ଭୁକ୍ତ ରହିଛି। ଏହାସହ ସମସ୍ତ ବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା, ଗ୍ରେଡ୍ ପେ’ରେ ରହିଥିବା ଅସଙ୍ଗତି ଦୂର କରିବା, ସପ୍ତମ ବେତନରୁ ବାଦ୍ ପଡ଼ିଥିବା ଶିକ୍ଷକଙ୍କୁ ଏଥିରେ ସାମିଲ କରିବା ଏବଂ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା ଆଦି ପ୍ରମୁଖ ଦାବିରେ ସେମାନେ ଧାରଣାରେ ବସିଥିଲେ।
ଦୀର୍ଘ ୨୧ ଦିନ ବିତିଯାଇଥିଲେ ମଧ୍ୟ ସରକାର ସେମାନଙ୍କ କଥା ନ ଶୁଣୁଥିବା ଅଭିଯୋଗ କରି ଶନିବାର ଗୁରୁଦିବସ ଅବସରରେ ଶିକ୍ଷକମାନେ ପୁଣି ରାସ୍ତାରେ ଧାରଣା ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଆଇନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଗାନ୍ଧୀ ମାର୍ଗରେ ଧାରଣାରେ ବସିଥିବା ଶିକ୍ଷକମାନଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ।
ଶିକ୍ଷକଙ୍କ ଏହି ସମସ୍ୟାଗୁଡ଼ିକ ହେଉଛି ଏକ ବର୍ଷ ପୁରୁଣା ଲିଗାସୀ ସମସ୍ୟା ଏବଂ ମୋହନ ସରକାର ଏହାର ସମାଧାନ ପାଇଁ ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ଆଇନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଆନ୍ଦୋଳନରତ ଶିକ୍ଷକଙ୍କୁ ଆଶ୍ୱସନା ଦେଇ କହିଛନ୍ତି ଯେ ଖୁବ୍ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଆଇନମନ୍ତ୍ରୀ ଏକାଠି ବସି ଶିକ୍ଷକଙ୍କ ଦାବି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ଯେ ଶିକ୍ଷକଙ୍କ ସମସ୍ୟା ବାବଦରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏଥିପାଇଁ ୮ ଶହ ପୃଷ୍ଠା ବିଶିଷ୍ଟ ଏକ ବିସ୍ତୃତ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ଆନ୍ତରିକତାର ସହ ଚାହାଁନ୍ତି ଯେ ଶିକ୍ଷକମାନଙ୍କ ସମସ୍ୟା ଶୀଘ୍ର ସମାଧାନ ହେଉ। ତେବେ ପବିତ୍ର ଗୁରୁଦିବସ ଅବସରରେ ଗୁରୁମାନଙ୍କୁ ରାସ୍ତାରେ ବସିବାକୁ ପଡ଼ିବା ଘଟଣା ଆଇନମନ୍ତ୍ରୀଙ୍କୁ ମଧ୍ୟ ବ୍ୟଥିତ କରିଛି ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।