ଦେଶସେବାରେ ନିଜକୁ ଉତ୍ସର୍ଗ କରିଥିବା ବଲାଙ୍ଗୀର ଜିଲ୍ଲାର ବୀର ଯବାନ ଜୟ ପ୍ରକାଶ ଗହୀରଙ୍କ ଅକାଳ ବିୟୋଗ ଘଟିଛି। ଆଜି ତାଙ୍କର ପାର୍ଥିବ ଶରୀର ନିଜ ଜନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଅଞ୍ଛଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
କଣ୍ଟାବାଞ୍ଜିରେ ଦିଆଗଲା ଶେଷ ଶ୍ରଦ୍ଧାଞ୍ଜଳି
ଛତିଶଗଡ଼ର ବିଳାସପୁରସ୍ଥିତ ସିଆରପିଏଫ (CRPF) କ୍ୟାମ୍ପରେ ନିୟୋଜିତ ଥିବା ଯବାନ ଜୟ ପ୍ରକାଶ ଦୁଇ ଦିନ ତଳେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକଙ୍କୁ ସୂଚନା ମିଳିଥିଲା। ଆଜି ତାଙ୍କ ପାର୍ଥିବ ଶରୀର କଣ୍ଟାବାଞ୍ଜି ସହରରେ ପହଞ୍ଚିବା ପରେ ବିଭିନ୍ନ ବର୍ଗର ଲୋକ, ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ଉପସ୍ଥିତ ରହି ବୀର ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଗାଁରେ ଶୋକର ଛାୟା, ଆଜି ହେବ ଅନ୍ତିମ ସଂସ୍କାର
ମୃତ ଯବାନ ଜୟ ପ୍ରକାଶ ଗହୀର ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଖରବାହାଲି ଗାଁର ବାସିନ୍ଦା। ସେ ୨୦୧୩ ମସିହାରେ ସିଆରପିଏଫରେ ଯୋଗଦେଇ ଦୀର୍ଘ ୧୩ ବର୍ଷ ଧରି ନିଷ୍ଠାର ସହ ଦେଶସେବା କରିଆସୁଥିଲେ। ତାଙ୍କର ଅକାଳ ମୃତ୍ୟୁ ଖବର ଶୁଣିବା ପରେ ଖରବାହାଲି ଗାଁ ସମେତ ପୁରା ଅଞ୍ଛଳରେ ଶୋକର ଛାୟା ଖେଳିଯାଇଛି।
ପରିବାର, ସମ୍ପର୍କୀୟ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଆଜି ନିଜ ଜନ୍ମମାଟି ଖରବାହାଲିଠାରେ ତାଙ୍କର ଶେଷକୃତ୍ୟ ଓ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯିବ।