ଭୁବନେଶ୍ୱର: ରାଜଧାନୀର ‘ଆମ ବସ୍’ରେ ଯାତ୍ରୀଙ୍କୁ ଟାର୍ଗେଟ୍ କରି ମୋବାଇଲ୍ ଓ ଦାମୀ ସାମଗ୍ରୀ ଚୋରି କରୁଥିବା ୫ ଜଣିଆ ମହିଳା ଗ୍ୟାଙ୍ଗକୁ ନୟାପଲ୍ଲୀ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ୧୦ଟି ଚୋରି ମୋବାଇଲ୍ ଫୋନ୍ ଓ ୨ଟି ଦାମୀ ବ୍ୟାଗ୍ ଜବତ କରାଯାଇଛି।
ଯାତ୍ରୀଙ୍କୁ କରୁଥିଲେ ଟାର୍ଗେଟ୍
ପୋଲିସ ସୂଚନା ଅନୁଯାୟୀ, ଏହି ମହିଳା ଗ୍ୟାଙ୍ଗ ସାଧାରଣ ବସ୍ରେ ଯାତ୍ରା କରୁଥିବା ଲୋକଙ୍କ ମୋବାଇଲ୍ ଓ ମୂଲ୍ୟବାନ ସାମଗ୍ରୀ ଚତୁରତାର ସହ ଚୋରି କରୁଥିଲେ। ଲଗାତାର ଅଭିଯୋଗ ପରେ ନୟାପଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରି ଗ୍ୟାଙ୍ଗର ଗତିବିଧି ଉପରେ ନଜର ରଖିଥିଲା।
ମୋବାଇଲ୍ ବିକ୍ରି ବେଳେ ଧରିଲା ପୋଲିସ
ଚୋରି ହୋଇଥିବା ମୋବାଇଲ୍ ବିକ୍ରି କରିବାକୁ ଉଦ୍ୟମ କରୁଥିବା ସମୟରେ ଜୟଦେବ ବିହାର ନିକଟରେ ପୋଲିସ ଚଢ଼ାଉ କରି ସମସ୍ତ ୫ ଜଣ ମହିଳାଙ୍କୁ କାବୁ କରିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ବଞ୍ଜାରା ଗ୍ୟାଙ୍ଗର ସଦସ୍ୟ ଏବଂ ସମସ୍ତେ ମହାରାଷ୍ଟ୍ରର ବାସିନ୍ଦା। ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳର ଅନ୍ୟ ଚୋରି ଘଟଣାରେ ମଧ୍ୟ ସେମାନଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି।
ପୋଲିସ ବର୍ତ୍ତମାନ ଜବତ ହୋଇଥିବା ମୋବାଇଲ୍ ଓ ସାମଗ୍ରୀର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ସହ ଗ୍ୟାଙ୍ଗର ଅନ୍ୟ ଅପରାଧିକ ଲିଙ୍କ୍ର ତଦନ୍ତ ଜାରି ରଖିଛି।