ଭୁବନେଶ୍ୱର : ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟାର ଖୁବ କମ୍ ସମୟରେ ସମାଧାନ ହେବ ବୋଲି ରାଜ୍ଯ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିଶ୍ରୁତି ଦେଇଛନ୍ତି।
ଗୁରୁ ଦିବସ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି (OSCTECC) ପକ୍ଷରୁ ଚାଲିଥିବା ଅହୋରାତ୍ର ଧାରଣା ସ୍ଥଳରେ ପହଞ୍ଚି ମନ୍ତ୍ରୀ ଏହି ଆଶ୍ୱାସନା ଦେଇଛନ୍ତି।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇ କହିଛନ୍ତି ଯେ ଶିକ୍ଷକମାନଙ୍କ ସମସ୍ୟା ସମ୍ପର୍କିତ ପ୍ରାୟ ୮୦୦ ପୃଷ୍ଠାର ୭୯ଟି ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚିଛି।ଏନେଇ କମିଟି ରିପୋର୍ଟ ସରକାରଙ୍କ ହସ୍ତକ୍ଷେପ ହୋଇ ସାରିଛି। ସରକାର ଏହି ରିପୋର୍ଟଗୁଡ଼ିକୁ ବିଧିବଦ୍ଧ ଭାବେ ଅନୁଧ୍ୟାନ କରି ଖୁବ୍ ଶୀଘ୍ର ଏକ ସକାରାତ୍ମକ ନିଷ୍ପତ୍ତି ନେବେ।
ବିସ୍ତୃତ ଆଲୋଚନା ମାଧ୍ୟମରେ ସମସ୍ୟାର ସରଳ ସମାଧାନ ପାଇଁ ମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ଏକ ପ୍ରତିନିଧି ଦଳ ପଠାଇବାକୁ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଏକ ପ୍ରତିନିଧି ମଣ୍ଡଳୀ ଆସି ଆମ ସହ ଆଲୋଚନା କରନ୍ତୁ ଆମେ ପ୍ରତିନିଧି ମଣ୍ଡଳୀ ସହ ବିସ୍ତୃତ ଭାବେ ଆଲୋଚନା କରିବୁ।
ସୂଚନା ଥାଉକି ଆନ୍ଦୋଳନରତ ଅନୁଦାନ ବିହୀନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକମାନେ ମୁଖ୍ୟତଃ ଗ୍ରାଣ୍ଟ-ଇନ୍-ଏଡ୍ (GIA) ପ୍ରଦାନ, ପେନସନ ବ୍ୟବସ୍ଥା, ଖାଲିପଦବୀ ପୂରଣ ଏବଂ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ପାଇଁ ଦାବି କରିଆସୁଛନ୍ତି।