ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଆରମ୍ଭ ହୋଇଛି ଏକ ବଡ଼ ପରିବର୍ତ୍ତନ। ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତା (AI), ଡିଜିଟାଲ୍ ସ୍କିଲ୍, ଇଂରାଜୀ ଯୋଗାଯୋଗ ଓ ଉଦ୍ୟୋଗୀତାରେ ଦକ୍ଷ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ CSRBOX, ନନ୍ଦୀ ଫାଉଣ୍ଡେସନ୍ ଓ OKCL ସହ ତିନୋଟି ଗୁରୁତ୍ୱପୂର୍ଣ୍ଣ MoU ସ୍ୱାକ୍ଷର କରିଛି।
ଏହାସହ NASSCOM ସହଯୋଗରେ ‘AI Course for All’ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ଅନଲାଇନ୍ କୋର୍ସ ମାଧ୍ୟମରେ ରାଜ୍ୟର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ଅଧ୍ୟାପକ AI ଶିକ୍ଷାର ସୁଯୋଗ ପାଇବେ।
୧.୨୫ ଲକ୍ଷ ଛାତ୍ରଙ୍କୁ AI ଓ ଡିଜିଟାଲ୍ ସ୍କିଲ୍
IBM-CSRBOX ସହ ହୋଇଥିବା ଚୁକ୍ତି ଅନୁସାରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୧.୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅନଲାଇନ୍ କୋର୍ସ, ୱର୍କସପ୍ ଓ ପ୍ରୋଜେକ୍ଟ ଆଧାରିତ ଶିକ୍ଷା ପାଇବେ। AI, ଡିଜିଟାଲ୍ ଲିଟରେସି, ଡିଜାଇନ୍ ଥିଙ୍କିଂ ଓ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଭଳି ବିଷୟରେ ତାଲିମ ଦିଆଯିବ। ଦୂରଦୁରାନ୍ତ ଓ ଆକାଂକ୍ଷୀ ଜିଲ୍ଲାର ୧୦୭ଟି ଉଚ୍ଚଶିକ୍ଷା ସଂସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯିବ।
ଝିଅମାନଙ୍କ ପାଇଁ ନୂଆ ଏମ୍ପ୍ଲୟମେଣ୍ଟ ଟ୍ରେନିଂ
ନନ୍ଦୀ ଫାଉଣ୍ଡେସନ୍ ସହ ହୋଇଥିବା MoU ଅନୁଯାୟୀ ଶେଷ ବର୍ଷର UG ଓ PG ଛାତ୍ରୀମାନଙ୍କୁ ଅଫଲାଇନ୍ ତାଲିମ ଦିଆଯିବ। ଏଥିରେ ଆର୍ଥିକ ସାକ୍ଷରତା, ପବ୍ଲିକ୍ ସ୍ପିକିଂ, କ୍ରିଟିକାଲ୍ ଥିଙ୍କିଂ ଓ କମ୍ୟୁନିକେସନ୍ ସ୍କିଲ୍ ଉପରେ ଫୋକସ୍ ରହିବ।
ଇଂରାଜୀ + AI ଶିକ୍ଷା ଡିଜିଟାଲ୍ ମୋଡ୍ରେ
OKCL ସହଯୋଗରେ ଛାତ୍ରଛାତ୍ରୀଙ୍କୁ ୩୦ ଘଣ୍ଟାର ଇଂରାଜୀ ଓ ୧୦ ଘଣ୍ଟାର AI ଟ୍ରେନିଂ ମିଳିବ। ଶିକ୍ଷକମାନଙ୍କ ପାଇଁ ମଧ୍ୟ ୫ ଘଣ୍ଟାର AI ଓରିଏଣ୍ଟେସନ୍ ବ୍ୟବସ୍ଥା ରହିଛି।
ଷ୍ଟାର୍ଟଅପ୍ ଓ ଏକାଡେମିକ୍ ଅଡିଟ୍ ମଧ୍ୟ ଲଞ୍ଚ
ଉଦ୍ୟୋଗୀତାକୁ ପ୍ରୋତ୍ସାହନ ଦେବା ପାଇଁ EDII ଅହମ୍ମଦାବାଦ ସହ ଭାଗୀଦାରିରେ ୪୦ ଜଣ ଅଧ୍ୟାପକଙ୍କୁ ୬ ଦିନିଆ ମେଣ୍ଟର ଟ୍ରେନିଂ ଦିଆଯିବ। ଏହାସହ ୫୨ଟି KPI ଆଧାରରେ ଉଚ୍ଚଶିକ୍ଷା ସଂସ୍ଥାଗୁଡ଼ିକର Academic Performance Audit ଏବଂ NEP-2020 ଅନୁରୂପ Question Bank Portal ମଧ୍ୟ ଉଦ୍ଘାଟନ କରାଯାଇଛି। ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ଉଚ୍ଚଶିକ୍ଷାକୁ AI, ରୋଜଗାରଯୋଗ୍ୟତା ଓ ଉଦ୍ୟୋଗୀତା ଦିଗରେ ଆହୁରି ସଶକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।