ଓଡ଼ିଶାରେ ପୁଣି ସକ୍ରିୟ ହେବାକୁ ଯାଉଛି ମୌସୁମୀ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ସେପ୍ଟେମ୍ବର ୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଏହା ସହ ବଜ୍ରପାତ, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ରାଜସ୍ଥାନରୁ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଦେଇ ବିସ୍ତାରିତ ମୌସୁମୀ ଅକ୍ଷରେଖାର ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ସକ୍ରିୟ ହେବ। ସେପ୍ଟେମ୍ବର ୭ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ। ଏଥିପାଇଁ ଉତ୍ତର ଓ ପୂର୍ବ ଓଡ଼ିଶାର କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୮ରୁ ବଢ଼ିବ ବର୍ଷାର ଜୋର
ସେପ୍ଟେମ୍ବର ୮ରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଅଧିକ ସକ୍ରିୟ ରହିବ। ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ IMD ପରାମର୍ଶ ଦେଇଛି।
୯ରୁ ୧୨: ପ୍ରବଳ ବର୍ଷା ସମ୍ଭାବନା
IMD ଆକଳନ ଅନୁସାରେ ସେପ୍ଟେମ୍ବର ୯ରୁ ୧୨ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସଂଲଗ୍ନ ଅଞ୍ଚଳରେ ସ୍ଥାନେ ସ୍ଥାନେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ବଳବତ୍ତର ରହିଛି। ଅନ୍ୟପଟେ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ବଲାଙ୍ଗିର ଭଳି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ତୁଳନାମୂଳକ କମ୍ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।