ଭୁବନେଶ୍ୱର: ଆଜି ହେଉଛି ଗୁରୁଙ୍କ ପାଇଁ ଦିନଟିଏ “ଗୁରୁ ଦିବସ” । ଡାକ୍ତର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସଭାବରେ ପାଳନ କରାଯାଇଥାଏ । ଯେଉଁ ଗୁରୁ ତାଙ୍କର ଜୀବନବ୍ୟାପୀ ସାଧନାରେ ପିଲାର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରନ୍ତି ଆଜି ସେହି ଗୁରୁଙ୍କୁ ଉତ୍ସର୍ଗୀକୃତ ଏହି ଦିନ । ଗୁରୁ ଯିଏ ଶିକ୍ଷାଦାନକୁ କେବଳ କର୍ତ୍ତବ୍ୟ ନୁହେଁ ବ୍ରତଭାବେ ସାଧନା କରନ୍ତି । ଯାହାଙ୍କ ପରିଚୟ ‘ଦ୍ୱିତୀୟ ପିତାମାତା’ ।
୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଗ୍ରହଣ କରିଥିଲେ । ସେ ଉଚ୍ଚ ଶିକ୍ଷାଲାଭ କରିବା ପରେ ଶିକ୍ଷକତା କରିଥିଲେ । ଏହା ପରେ ଯେତେବେଳେ ରାଷ୍ଟ୍ରପତି ପଦ ଅଳଙ୍କୃତ କଲେ ସେତେବେଳେ ତାଙ୍କର କିଛି ପୁରାତନ ଛାତ୍ର ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ । ଏହି ସମୟରେ ଗୁରୁଙ୍କ ଭୂମିକା ଅତି ନିକଟରୁ ଦେଖିଥିବା ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ତାଙ୍କ ଜନ୍ମଦିନକୁ ଗୁରୁ ଦିବସଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସେହିଦିନଠାରୁ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ ।
ଆଜିର ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ ହୋଇଥାଏ । ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ବନ୍ଦାପନା କରି ଏହି ଦିନକୁ ଏକ ଉତ୍ସବ ଭାବରେ ପାଳନ କରିଥାଆନ୍ତି ।