ଭୁବନେଶ୍ୱର : ଆଜି ଗୁରୁଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ‘ଗୁରୁଦିବସ’ ପାଳନ କରାଯାଇଥାଏ। ଏହି ଦିନଟି ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଆମ ଜୀବନ ଗଠନରେ ଗୁରୁମାନଙ୍କର ଅବଦାନ ଅତୁଳନୀୟ ।
ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜିଥାନ୍ତି ଆଲୋକବର୍ତ୍ତିତା। କେବେ କଠୋର ଅନୁଶାସନ ତ କେବେ ଉତ୍ସାହପ୍ରଦ ପ୍ରେରଣା ମାଧ୍ୟମରେ ଏମାନେ ଦେଶ, ସମାଜ ଓ ମଣିଷ ଗଠନରେ ନେଇଥାନ୍ତି ଉତ୍ତର ଦାୟିତ୍ୱ। ପାଠ ହେଉ କି ନୃତ୍ୟସଙ୍ଗୀତ, କ୍ରୀଡ଼ା ହେଉ କି ଅଭିନୟ, ପ୍ରତିଟି କ୍ଷେତ୍ରରେ ଗୁରୁଙ୍କ ମାର୍ଗଦର୍ଶନ ଯୁବସମାଜକୁ ବାଟ କଢ଼ାଇଥାଏ।
ଯେଉଁ କେତେଜଣ ମହାନ ଦାର୍ଶନିକ, ରାଷ୍ଟ୍ରନାୟକ, ଚିନ୍ତାନାୟକ, ମାନବପ୍ରେମୀ ସେମାନଙ୍କର ଉତ୍ସର୍ଗୀକୃତ ସେବା, ତ୍ୟାଗ, ପ୍ରେମର ପ୍ରତିଦାନରେ ଭାରତବର୍ଷକୁ ସମଗ୍ର ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ର ହେବାର ସ୍ବପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରୁ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ହେଉଛନ୍ତି ଜଣେ । ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତାମିଲନାଡୁରେ ୫ ସେପ୍ଟେମ୍ବର ୧୮୮୮ରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ସେ ଭାରତର ରାଷ୍ଟ୍ରପତି ହୋଇଥିଲେ,ସେତେବେଳେ ତାଙ୍କର କିଛି ଛାତ୍ର ଏବଂ ବନ୍ଧୁ ତାଙ୍କୁ ଭେଟିବାକୁ ଆସିଥିଲେ। ତାଙ୍କୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ପରେ ସେ କହିଥିଲେ ଯେ,ମୋ ଜନ୍ମଦିନକୁ ପୃଥକ୍ ଭାବରେ ପାଳନ କରିବା ପରିବର୍ତ୍ତେ ଯଦି ଏହା ‘ଗୁରୁଦିବସ’ ଭାବରେ ପାଳନ କରାଯାଏ ତେବେ ଏହା ମୋ ପାଇଁ ଗର୍ବର କଥା ହେବ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ପ୍ରତ୍ୟେକ ସ୍କୁଲ,କଲେଜରେ ଛାତ୍ରଛାତ୍ରୀ ଗୁରୁଦିବସ ଭାବରେ ପାଳନ କରି ସେମାନଙ୍କର ଗୁରୁମାନଙ୍କୁ ପୂଜା କରିଥାନ୍ତି।