ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ବଡ ପ୍ରଶ୍ନବାଚୀ ଉଠିଛି l ନୋ ଫ୍ଲାଇଂ ଜୋନ୍ ଭିତରେ ପୁଣି ଉଡ଼ିଲା ଡ୍ରୋନ୍। ଶ୍ରୀମନ୍ଦିରର ସିଂହଦ୍ୱାରଠୁ ନୀଳଚକ୍ର ଯାଏଁ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛି l ଶ୍ରୀମନ୍ଦିର ଓ ଏହାର ଆଖପାଖ ସମ୍ପୂର୍ଣ୍ଣ ନୋ ଫ୍ଲାଇଂ ଜୋନ୍ ଡ୍ରୋନ୍ ଉଡାଇବା ସମ୍ପୂର୍ଣ ନିଷେଧ ହେଲେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛିl
ସୂଚନା ଅନୁସାରେ ଆଜି ସନ୍ଧ୍ଯା ସମୟରେ ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ନୀଳଚକ୍ର ଯାଏଁ ଡ୍ରୋନ୍ ଉଡ଼ିଥିବା ଭକ୍ତମାନେ ଦେଖିଛନ୍ତି। ଡ୍ରୋନ୍ ଉଡ଼ିବା ସମୟରେ ଭକ୍ତମାନେ ଏହା ଦେଖିବା ପରେ ସିଂହଦ୍ବାର ଥାନା ପୁଲିସକୁ ସୂଚନା ଦିଆଯାଇ ଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।କିଏ ଏବଂ କାହିଁକି ଡ୍ରୋନ୍ ଉଡାଇଲା ତା'କୁ ନେଇ ଉଠିଛି ପ୍ରଶ୍ନ ?
ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡିଛି ଡ୍ରୋନ୍। ବାରମ୍ବାର ଏଭଳି ଡ୍ରୋନ ଉଡୁଥିବାବେଳେ ପୁଲିସ ନିରବ ଦ୍ରଷ୍ଟା ସାଜିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଘଟଣାକୁ ଶ୍ରଦ୍ଧାଳୁ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଡ୍ରୋନ ଉଡାଣ ଉପରେ ରୋକ୍ ଲଗାଇବାରେ କୌଣସି ସ୍ଵତନ୍ତ୍ର ପଦକ୍ଷେପ ପୋଲିସ ପକ୍ଷରୁ ନିଆଯାଉନାହିଁ । ତୁରନ୍ତ ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଶ୍ରଦ୍ଧାଳୁ ଦାବି କରିଛନ୍ତି।