ଭୁବନେଶ୍ୱର: ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଅଧିକାରୀମାନଙ୍କୁ ଦୀକ୍ଷାନ୍ତ ମନ୍ତ୍ର ପ୍ରଦାନ କରିଛନ୍ତି। ଏହି ବ୍ୟାଚ୍ରେ ୭୦ ଜଣ ମହିଳାଙ୍କ ସମେତ ମୋଟ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର ପୋଲିସ ସେବାରେ ସାମିଲ ହୋଇଛନ୍ତି।
ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁଇ ବର୍ଷର କଠୋର ଇନ୍ଡୋର ଓ ଆଉଟ୍ଡୋର ପ୍ରଶିକ୍ଷଣ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ଏହି ଯୁବ ଅଧିକାରୀମାନେ ଆଜିଠାରୁ ସମାଜ ସେବାରେ ବ୍ରତୀ ହେବେ। ବିଶେଷକରି ଏହି ବ୍ୟାଚ୍ରେ ୭୦ ଜଣ ମହିଳା ଏସ୍ଆଇ ସାମିଲ ହେବା ଓଡ଼ିଶାର ନାରୀ ସଶକ୍ତିକରଣ ଏବଂ ପରିବର୍ତ୍ତିତ ସାମାଜିକ ଚିତ୍ରର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସେ ମତ ଦେଇଛନ୍ତି।
ନବନିଯୁକ୍ତ ଅଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର
ପୋଲିସ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ 'SMART POLICING' ନୀତି ଆପଣାଇବାକୁ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଯୁବ ଅଧିକାରୀମାନଙ୍କୁ ତିନୋଟି ମୂଲ୍ୟବାନ ଗୁରୁମନ୍ତ୍ର ଦେଇଛନ୍ତି। ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରହି 'ଶୂନ୍ୟ ସହନଶୀଳତା' ନୀତି ଆପଣାନ୍ତୁ। ୟୁନିଫର୍ମ ସର୍ଭିସରେ ସର୍ବୋଚ୍ଚ ଶୃଙ୍ଖଳା ବଜାୟ ରଖନ୍ତୁ। କ୍ଷମତାର ଅପବ୍ୟବହାର ନକରି ନିର୍ଦ୍ଦୋଷଙ୍କୁ ସୁରକ୍ଷା ଓ ଅପରାଧୀଙ୍କ ପ୍ରତି କଠୋର ହୁଅନ୍ତୁ।
୨୦୨୯ ସୁଦ୍ଧା ଓଡ଼ିଶା ନିଶାମୁକ୍ତ ହେବ
ରାଜ୍ୟରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ସୁଦ୍ଧିର ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ଗତ ଦୁଇ ବର୍ଷ ଭେତ୍ରେ ପୋଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବୀ ସୃଷ୍ଟି କରାଯିବା ସହ ୫,୮୧୭ଟି ପଦବୀ ପୂରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ମାର୍ଗଦର୍ଶନରେ ରାଜ୍ୟରୁ ମାଓବାଦୀ ଓ ନକ୍ସଲ ହିଂସା ସମ୍ପୂର୍ଣ୍ଣ ଦମନ ହୋଇପାରିଛି। ଏହା ସହିତ ୨୦୨୯ ସୁଦ୍ଧା ଓଡ଼ିଶାକୁ ଏକ 'ନିଶାମୁକ୍ତ ରାଜ୍ୟ'ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ଅଛନ୍ତି ବୋଲି ସେ ଦୋହରାଇଛନ୍ତି।
କୃତୀ କ୍ୟାଡେଟ୍ମାନଙ୍କୁ ସମ୍ବର୍ଦ୍ଧନା
ଏହି ଅବସରରେ ପ୍ରଶିକ୍ଷଣରେ ଉତ୍କର୍ଷ ପ୍ରଦର୍ଶନ କରିଥିବା କ୍ୟାଡେଟ୍ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ପି. ନଳିନୀ ରାଓ ସର୍ବାଧିକ ନମ୍ବର ହାସଲ କରି ରାଜ୍ୟପାଳଙ୍କ ପଦକ, ଟ୍ରଫି ଏବଂ ୧୦,୦୦୦ ଟଙ୍କାର ନଗଦ ପୁରସ୍କାର ଅର୍ଜନ କରିଥିଲେ। ଏହାଛଡ଼ା ତେଜସ୍ୱିନୀ ମହନ୍ତରାୟ, ଯୁଧିଷ୍ଠିର ବେହେରା, ଲକ୍ଷ୍ମଣ କୁମାର ମହନ୍ତ, ସସ୍ମିତା ଖୁଣ୍ଟିଆ, ନିହାରିକା ତ୍ରିପାଠୀ ଏବଂ ଆଶୁତୋଷ ନାୟକଙ୍କୁ ମଧ୍ୟ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିଲା।
ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଏବଂ ଏକାଡେମୀର ନିର୍ଦ୍ଦେଶକ ତଥା ପୋଲିସ ମହାନିରୀକ୍ଷକ ଶ୍ରୀ ଅନୁପ କୁମାର ସାହୁ ପ୍ରମୁଖ ଯୋଗଦେଇ ନବନିଯୁକ୍ତ ଅଧିକାରୀମାନଙ୍କୁ ସାହସିକତା ଓ ନିଷ୍ଠାପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।