ନୂଆଦିଲ୍ଲୀ: ୨୦୨୬ ମହିଳା ଏସିଆ କପ୍ର ଏକ ଏକତରଫା ମ୍ୟାଚ୍ରେ ପାକିସ୍ତାନକୁ ଧୂଳି ଚଟାଇଛି ଟିମ୍ ଇଣ୍ଡିଆ। ଟୁର୍ଣ୍ଣାମେଣ୍ଟର ୯ମ ମୁକାବିଲାରେ ଭାରତ ପାକିସ୍ତାନକୁ ୭ ଓ୍ୱିକେଟ୍ରେ ପରାସ୍ତ କରିଛି। ଏହା ମହିଳା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ରେ ପାକିସ୍ତାନ ବିପକ୍ଷରେ ଭାରତର ୧୫ତମ ବିଜୟ ଅଟେ। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମାତ୍ର ୫୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିବାବେଳେ, ଭାରତ ମାତ୍ର ୮.୪ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା।
ମାତ୍ର ୫୫ ରନ୍ରେ ସୀମିତ ରହିଲା ପାକିସ୍ତାନ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ପାଇଁ ଏହି ପଦକ୍ଷେପ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳୀୟ ସ୍କୋର୍ ୨୭ ରନ୍ ଥିବାବେଳେ ପାକିସ୍ତାନ ପ୍ରଥମ ଓ୍ୱିକେଟ୍ ହରାଇଥିଲା। ଏହା ପରେ ମାତ୍ର ଆଉ ୨୮ ରନ୍ ଯୋଡ଼ିବା ଭିତରେ ଦଳର ବାକି ୯ଟି ଓ୍ୱିକେଟ୍ ପଡ଼ିଯାଇଥିଲା। ଫଳରେ ପାକିସ୍ତାନ ୧୮.୧ ଓଭରରେ ସମସ୍ତ ଓ୍ୱିକେଟ୍ ହରାଇ ମାତ୍ର ୫୫ ରନ୍ କରିପାରିଥିଲା, ଯାହାକି ଟି-୨୦ କ୍ରିକେଟ୍ରେ ଦଳର ସବୁଠାରୁ କମ୍ ସ୍କୋର୍ ଅଟେ।
ପାକିସ୍ତାନ ପକ୍ଷରୁ ଓପନର୍ ଶୱାଲ ଜୁଲଫିକାର ସର୍ବାଧିକ ୧୪ ରନ୍ (୩ଟି ଚୌକା) ଏବଂ ମୁନିବା ଅଲ୍ଲୀ ୧୩ ରନ୍ କରିଥିବାବେଳେ, ଅନ୍ୟ କୌଣସି ବ୍ୟାଟର୍ ଦଳଗତ ସ୍କୋର୍କୁ ଦୁଃସାଧ୍ୟ ଦଳାଙ୍କରେ ପହଞ୍ଚାଇ ପାରିନଥିଲେ। ଦଳର ୯ ଜଣ ବ୍ୟାଟ୍ସମ୍ୟାନ୍ ଦଶ ଅଙ୍କ ଛୁଇଁବାରେ ମଧ୍ୟ ବିଫଳ ହୋଇଥିଲେ। ରତ ପକ୍ଷରୁ ଘାତକ ବୋଲିଂ ପ୍ରଦର୍ଶନ କରି ଶ୍ରୀ ଚରଣୀ ଏବଂ ପ୍ରେମା ରାୱତ୍ ସର୍ବାଧିକ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ। ସେହିପରି ଦୀପ୍ତି ଶର୍ମା ୨ଟି ଏବଂ ଶେଫାଲୀ ବର୍ମା ଗୋଟିଏ ଓ୍ୱିକେଟ୍ ନିଜ ନାମରେ କରିଥିଲେ।
ସହଜରେ ଲକ୍ଷ୍ୟ ହାସଲ କଲା ଭାରତ
୫୫ ରନ୍ର ଛୋଟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଥିଲା। ଓପନର୍ ଶେଫାଲୀ ବର୍ମା ପ୍ରଥମ ବଲ୍ରୁ ହିଁ ଛକା ମାରି ଇନିଂସର ଆରମ୍ଭ କରିଥିଲେ। ସେ ୬ ବଲ୍ରୁ ୧୨ ରନ୍ (୧ଟି ଚୌକା, ୧ଟି ଛକା) କରି ଆଉଟ୍ ହୋଇଥିଲେ। ଏହାପରେ ପ୍ରତିକା ରାୱତ୍ (୪ ରନ୍) ଏବଂ ସ୍ମୃତି ମନ୍ଧାନା (୯ ରନ୍) ଆଉଟ୍ ହୋଇଥିଲେ।
ମାତ୍ର ୧୮ ରନ୍ରେ ୩ଟି ଓ୍ୱିକେଟ୍ ହରାଇବା ପରେ ଅଧିନାୟକ ହରମନପ୍ରୀତ କୌର ଏବଂ ଦୀପ୍ତି ଶର୍ମା ଧୈର୍ଯ୍ୟର ସହ ଖେଳିଥିଲେ। ଦୁହେଁ ଚତୁର୍ଥ ଓ୍ୱିକେଟ୍ ପାଇଁ ଅବିଭାଜିତ ୨୮ ରନ୍ର ଭାଗୀଦାରି କରି ଦଳକୁ ସହଜ ବିଜୟ ଭେଟି ଦେଇଥିଲେ। ଅଧିନାୟକ ହରମନପ୍ରୀତ ୧୮ ବଲ୍ରୁ ସର୍ବାଧିକ ୧୮ ରନ୍ (୧ଟି ଚୌକା, ୧ଟି ଛକା) ଏବଂ ଦୀପ୍ତି ଶର୍ମା ୧୨ ରନ୍ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ଅଧିନାୟକ ଫାତିମା ସର୍ବାଧିକ ୩ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ମଧ୍ୟ ଦଳକୁ ହାରରୁ ରକ୍ଷା କରିପାରିନଥିଲେ।