ମୁମ୍ବାଇ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦ ଭୁଲ ଜନ୍ମ ପ୍ରମାଣପତ୍ର ଦେବା ଅଭିଯୋଗରେ ପଶ୍ଚିମବଙ୍ଗର ଜଣେ କ୍ରିକେଟରଙ୍କୁ ବାସନ୍ଦ କରିଛି । ବିସିସିଆଇ କ୍ରିକେଟର୍ ଲେଗ୍ ସ୍ପିନର୍ ରୋହିତ ଯାଦବଙ୍କ ଉପରେ ଆଗାମୀ ଦୁଇ ବର୍ଷ ପାଇଁ କଟକଣା ଲାଗୁ କରିଛି ।
ରୋହିତ ଯାଦବ ନିଜର ତିନି ତିନୋଟି ଜନ୍ମ ପ୍ରମାଣପତ୍ର ରଖିଛନ୍ତି । ତିନୋଟିରେ ଭିନ୍ନ ଭିନ୍ନ ତିନୋଟି ଜନ୍ମ ବର୍ଷା ଯଥା ୨୦୦୭, ୨୦୦୯ ଏବଂ ୨୦୧୦ ରହିଛି । ଏହି କାରଣରୁ ବୟସ ବର୍ଗ କ୍ରିକେଟ ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ।
ରୋହିତ ବର୍ତ୍ତମାନ ଭାରତୀୟ ଅଣ୍ଡର-୧୯ ଦଳର ସଦସ୍ୟ ଅଟନ୍ତି । ଜୁଲାଇରେ ଶ୍ରୀଲଙ୍କା ବିପକ୍ଷର ମ୍ୟାଚରେ ସେ ୬ଟି ୱିକେଟ୍ ନେଇଥିଲେ ଏବଂ ଦଳକୁ ଫାଇନାଲରେ ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ସେ ଗୁଜରାଟରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି ।
ରୋହିତ ଯାଦବ ମୂଳତଃ ଉତ୍ତର ପ୍ରଦେଶ ବାସିନ୍ଦା ହୋଇଥିବାବେଳେ ସେ ପଶ୍ଚିମବଙ୍ଗ କ୍ରିକେଟ୍ ପାଇଁ ଖେଳୁଛନ୍ତି । କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲରେ ତାଙ୍କର ଜନ୍ମ ବର୍ଷ ୨୦୦୭ ରହିଥିବାବେଳେ ୨୦୧୭ ଏବଂ ୨୦୨୦ ଆଧାର କାର୍ଡ ରେକର୍ଡ ଅପଡେଟ୍ ବେଳେ ଜନ୍ମ ବର୍ଷ ୨୦୦୬ ରହିଛି । ସେହିପରି ୨୦୨୧ରେ ଜନ୍ମ ବର୍ଷ ୨୦୦୯ ରହିଛି ।
ସିଏବି ରୋହିତଙ୍କ ଜନ୍ମ ବର୍ଷରେ ଅସଙ୍ଗତି ଦେଖିବା ପରେ ପ୍ରଥମେ ଜୁନିୟର ଟିମରୁ ବାହାର କରିଦେଇଥିଲା । ଏ ବାବଦରେ ବିସିସିଆଇକୁ ସୂଚନା ଦେଇଥିଲା । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ସମୟରେ ପ୍ରମାଣପତ୍ର ଯାଞ୍ଚ ସମୟରେ ତାଙ୍କର ବୟସରେ ତାଳମେଳ ରହିନଥିଲା । ଯାହା ପରେ ବିସିସିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଯାଞ୍ଚରେ ମିଥ୍ୟା ପ୍ରମାଣ ପତ୍ର ଦେବା ଅଭିଯୋଗରେ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି ।