ନୂଆଦିଲ୍ଲୀ: ବିଭିନ୍ନ ମାମଲାରେ ଜବତ ହେଉଥିବା ଗାଡ଼ିକୁ ଥାନାରେ ନ ରଖି ଉପଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଉ । ଗାଡ଼ି ଗୁଡ଼ିକ ଖରାପ ହେବାରୁ ହସ୍ତାନ୍ତର ହେବା ଉଚିବ ବୋଲି ଶୁକ୍ରବାର ଏକ ମାମଲାର ଶୁଣାଣି ବେଳେ ସମସ୍ତ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଥାନାରେ ପଡ଼ି ରହିଥିବା ସମସ୍ତ ଛୋଟ ବଡ଼ ଯାନଗୁଡ଼ିକୁ ସଠିକ ସମୟରେ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରିବା ନିଶ୍ଚିତ କରାଯାଉ । ଯାହା ଦ୍ୱାରା ଗାଡ଼ି ଗୁଡ଼ିକ ଖରାପ ହେବା ପୂର୍ବରୁ ରୋକା ଯାଇପାରିବ । ଏହା କେବଳ ଥାନାର ଜାଗା ମାଡ଼ି ବସୁନାହିଁ ବରଂ ଗାଡ଼ିର ପାର୍ଟସ୍ ଚୋରି ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଥାଏ । ଗାଡ଼ିଗୁଡ଼ିକ ପକାଇ ରଖିବା ଦ୍ୱାରା କୌଣସି ଲାଭ ହେବ । ତେଣୁ ଉପଯୁକ୍ତ ସର୍ତ୍ତାବଳୀ ଅନୁଯାୟୀ ମାଲିକଙ୍କୁ ମଧ୍ୟବର୍ତ୍ତୀକାଳୀନ ହେପାଜତ ପ୍ରଦାନ କରିବା ପାଇଁ କୋର୍ଟଗୁଡ଼ିକ ଶୀଘ୍ର କାର୍ଯ୍ୟ କରିବା ଉଚିତ।
ସୁପ୍ରିମକୋର୍ଟ ନ୍ୟାୟାଧୀଶ ପ୍ରଶାନ୍ତ କୁମାର ମିଶ୍ର ଏବଂ ନ୍ୟାୟାଧୀଶ ଚନ୍ଦ୍ରଶେଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅବୈଧ ମଦ ବ୍ୟବସାୟରେ ଜଡିତ ଏକ ଟ୍ରକକୁ ମଧ୍ୟବର୍ତ୍ତୀକାଳୀନ ହେପାଜତରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଗାଡ଼ିଗୁଡ଼ିକୁ ହସ୍ତାନ୍ତର କରିବା ପୂର୍ବରୁ ସେଗୁଡ଼ିକ ଫଟୋ ଏବଂ ଭିଡ଼ିଓ ଗ୍ରାଫି କରାଯିବା ଉଚିତ । ବିଚାର ସମୟରେ କୋର୍ଟଙ୍କ ନିକଟରେ ପ୍ରମାଣ ସ୍ୱରୂପ ଭିଡ଼ିଓ ଓ ଫଟୋ ଦାଖଲ କରି ବିଚାର କରାଯାଇ ପାରିବ ।