ନୂଆଦିଲ୍ଲୀ: ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଅଚାନକ ଟର୍ବୁଲାନ୍ସ ହେବା ମାମଲାରେ ଏୟାରକ୍ରାଫ୍ଟ ଏକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି) ପ୍ରାଥମିକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ ବିମାନର ପାଇଲଟ୍-ଇନ୍-କମାଣ୍ଡ (ପିଆଇସି)ଙ୍କର କନଫେଣ୍ଟାରୀ ଟେଷ୍ଟରେ ନିଶା ସେବନର ପଜିଟିଭ୍ ରିପୋର୍ଟ ଆସିଛି । ଅର୍ଥାତ୍ ବିମାନ ଚଳାଉଥିବା ମୁଖ୍ୟ ଚାଳକ ନିଶା ସେବନ କରିଥିବାର ପ୍ରମାଣ ମିଳିଛି । କିନ୍ତୁ ସହ-ଚାଳକ ବା କୋ-ପାଇଲଟ୍ ଏହି ଟେଷ୍ଟରେ ନେଗେଟିଭ୍ ମିଳିଛନ୍ତି । ଏହାକୁ ଅତ୍ୟନ୍ତ ଚିନ୍ତାଜନକ ଦର୍ଶାଇ ଏଏଆଇବି ଡିଜିସିଏକୁ ପ୍ରାଥମିକତା ଭିତ୍ତିରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛି । ମାମଲାର ବିସ୍ତୃତ ଯାଞ୍ଚ ଜାରି ରହିଛି ।
ଏଏଆଇବି କହିଛି ଯେ ଦୁଇଜଣଙ୍କର ସାଇକୋ-ଏକ୍ଟିଭ୍ ସବ୍ସଟାନ୍ସ ଡିଟେକ୍ସନ୍ କିଟରେ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଚାଳକଙ୍କ ରକ୍ତ ନମୂନାରେ ନନ୍-ନେଗେଟିଭ୍ ବୋଲି ରିପୋର୍ଟ ଆସିଛି । ଅର୍ଥାତ ସେହିଦିନ ସେ ନିଶା ସେବନ କରିଥିଲେ । ଅଧିକ ଯାଞ୍ଚ ପାଇଁ ଉଭୟଙ୍କ ରକ୍ତ ନମୂନାକୁ ପାଥୋଲୋଜି ଲ୍ୟାବକୁ ପଠାଇ ଦିଆଯାଇଥିଲା । ଏଥିରେ ମଧ୍ୟ ସମାନ ରିପୋର୍ଟ ଆସିଥିଲା । ଘଟଣା ସମୟରେ ପିଆଇସି ପାଇଲଟ୍ ବିମାନ ପରିଚାଳନା କରୁଥିବେଳେ ପାଷ୍ଟ ଅଫିସର ବିମାନ ଉଡ଼ାଉଥିଲେ ।
ଏଏଆଇବିର ରିପୋର୍ଟ ଅନୁସାରେ, ଘଟଣା ସମୟରେ ପ୍ରାୟ ୩୬ ହଜାର ଫୁଟ ଉପରେ ବିମାନ ଉଡ଼ୁଥିବାବେଳେ ଫ୍ଲାଇଟ୍ କଣ୍ଟ୍ରୋଲ ସିଷ୍ଟମ ଗ୍ରୀନ୍ ହାଇଡ୍ରୋଲିକ୍ ସିଷ୍ଟମ ଶେଷ ହେଉଥିବା ସୂଚିତ କରାଇଥିଲା । ଏହା ପରେ ମାତ୍ର ୪ ସେକେଣ୍ଡରେ ବ୍ଲୁ ବା ନୀଳ ଏବଂ ୟେଲୋ ବା ହଳଦିଆ ହାଇଡ୍ରୋଲିକ୍ ସିଷ୍ଟମ ଶେଷ ହେବାର ସଙ୍କେତ ଦେଇଥିଲା । କିଛି ସେକେଣ୍ଡ ମଧ୍ୟରେ ଦୁଇ ସେକେଣ୍ଡ ପାଇଁ ଷ୍ଟଲ୍ ୱାର୍ଣ୍ଣିଂ ମଧ୍ୟ ସକ୍ରିୟ ହୋଇଯାଇଥିଲା । ଏହାରି ମଧ୍ୟରେ ସହ-ଚାଳକ ବିମାନକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ଏହା ପରେ ପିଆଇସି ବିମାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଏହାରି ମଧ୍ୟରେ ବିମାନଟି ନିର୍ଦ୍ଧାରିତ ଉଚ୍ଚତାରୁ ପ୍ରଥମେ ୩୭୨ ଫୁଟ ଉପରକୁ ଉଠିଥିଲା ଏବଂ ପରେ ୨୯୨ ଫୁଟ୍ ତଳକୁ ଅଚାନକ ଖସି ଆସିଥିଲା ।
ଗତ ଅଗଷ୍ଟ ୪ ତାରିଖରେ ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (AI2379)ରେ ଅଚାନକ ଟର୍ବୁଲାନ୍ସ ହୋଇଥିଲା । ବିମାନଟି ହଠାତ୍ ତଳକୁ ଆସିଥିଲା । ଫଳରେ ବିମାନରେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।