ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହାୟତା ରାଶିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଶାରିରୀକ ଅକ୍ଷମତା ପାଇଁ ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବେ । ଏହା ଦ୍ୱାରା ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନେ ଉପକୃତ ହେବେ । ଏହା ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ ।
ଦୁର୍ଘଟଣାରେ କୌଣସି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେଲେ କିମ୍ବା ଶାରିରୀକ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ସେହିପରି ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର ଆବଶ୍ୟକ ଥିଲେ ସେଥିପାଇଁ ଅତିରିକ୍ତ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବ ୧୦ ହଜାର ଟଙ୍କା ସରକାରୀ ସହାୟତା ମିଳିବ । ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀଙ୍କର ସମସ୍ତ ସରକାରୀ ଡାକ୍ତରଖାନାରେ ନିଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପାଇଁ ଏହି ନିର୍ଦ୍ଦେଶବଳୀ କାର୍ଯ୍ୟକାରୀ ହେବେ ।
ସହାୟତା ରାଶି ପିଲାର ବାପା କିମ୍ବା ମାଆଙ୍କୁ ପ୍ରଦାନ କରାଯିବ । ଯଦି କୌଣସି କ୍ଷେତ୍ରରେ ଉଭୟ ବାପା ଓ ମାଆ ନ ଥିବେ ତେବେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ସହାୟତା ରାଶି ହସ୍ତାନ୍ତର କରାଯିବ । ସହାୟତା ରାଶି ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ବାଧ୍ୟତାମୂଳକ । ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ଅନୁମୋଦନର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ସହାୟତା ରାଶି ମିଳିବ । ନୂତନ ବିଜ୍ଞପ୍ତି ଜାରି ହେବା ଠାରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ ।