ପୁରୀ: ଜନ୍ମାଷ୍ଟମୀ ଅବସରରେ ପୁରୀ ବେଳାଭୂମିରେ ଭକ୍ତି ଓ କଳାର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଛି। ପଦ୍ମଶ୍ରୀ ତଥା ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୮ ଫୁଟ ଉଚ୍ଚତାର ମନୋମୁଗ୍ଧକର ବାଳ ଗୋପାଳ ବାଲୁକା ମୂର୍ତ୍ତି ନିର୍ମାଣ କରି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି।
ଏହି ଅନନ୍ୟ କଳାକୃତିରେ ବାଳ କୃଷ୍ଣଙ୍କୁ ବଂଶୀ, ବିଶାଳ ମାଖନ ହାଣ୍ଡି ଏବଂ ପାଖରେ ଶୋଇଥିବା ଗାଈ ସହ ଅତ୍ୟନ୍ତ ଦିବ୍ୟ ରୂପରେ ଚିତ୍ରଣ କରାଯାଇଛି। ଏହାର ସବୁଠୁ ବଡ଼ ଆକର୍ଷଣ ପାଲଟିଛି ୧୦୧ଟି କ୍ଷୁଦ୍ର ମାଖନ ହାଣ୍ଡି, ଯାହା ଶ୍ରୀକୃଷ୍ଣଙ୍କ ଶୈଶବର ମାଖନ ଚୋରିର ଲୀଳାକୁ ସ୍ମରଣ କରାଉଛି।
ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଟ୍ୟୁଟର ଛାତ୍ରଛାତ୍ରୀଙ୍କ ସହଯୋଗରେ ପ୍ରସ୍ତୁତ ଏହି ବାଲୁକା ଭସ୍କର୍ଯ୍ୟ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଛି। ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ବାଳ ଗୋପାଳଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି, ସୁସ୍ଥତା, ସମୃଦ୍ଧି ଓ ସକାରାତ୍ମକତା ଆଣୁ।
ଅନ୍ୟପଟେ, ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ବାଲୁକା ଆନିମେସନ୍ ମାଧ୍ୟମରେ ଶ୍ରୀକୃଷ୍ଣଙ୍କ ଅପୂର୍ବ ରୂପ ସୃଷ୍ଟି କରି ଜନ୍ମାଷ୍ଟମୀର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ପ୍ରାୟ ଏକ ଘଣ୍ଟାରେ ପ୍ରସ୍ତୁତ ଏହି ଆନିମେସନ୍ ମଧ୍ୟ ଦର୍ଶକଙ୍କ ମନ ଜିତିଛି।