ଭୁବନେଶ୍ୱର: ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ପରିବାର ପାଇଁ ଆଜି ବଡ଼ ଖୁସିର ଦିନ। ସିଏମ୍ କିଷାନ୍ ର ପଞ୍ଚମ କିସ୍ତି ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି (DBT) ମାଧ୍ୟମରେ ପଠାଯିବ। ଭୁବନେଶ୍ୱରର ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆର୍ଥିକ ସହାୟତା ରାଶି ବଣ୍ଟନ କରିବେ।
ଏହି କିସ୍ତିରେ ୮୩୩ କୋଟି ଟଙ୍କାରୁ ଅଧିକ ସହାୟତା ସିଧାସଳଖ ଚାଷୀଙ୍କ ଖାତାକୁ ଜମା ହେବ। ଏହାର ସୁବିଧା କ୍ଷୁଦ୍ର, ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ (PVTG) ଏବଂ ଭୂମିହୀନ କୃଷକ ପରିବାରମାନେ ପାଇବେ। ସରକାରଙ୍କ କହିବା ଅନୁସାରେ, ଏହି ଯୋଜନା ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହ କୃଷି କାର୍ଯ୍ୟରେ ଅଧିକ ପ୍ରୋତ୍ସାହନ ଯୋଗାଇବ।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ। ସେହିପରି ଜିଲ୍ଲାସ୍ତରରେ ମଧ୍ୟ ବିଭିନ୍ନ ମନ୍ତ୍ରୀ ଯୋଗଦେଇ ହିତାଧିକାରୀଙ୍କୁ ପ୍ରତୀକାତ୍ମକ ଭାବେ କିସ୍ତି ପ୍ରଦାନ କରିବେ।