ଭୁବନେଶ୍ୱର: ଜମି ଓ ସମ୍ପତ୍ତି ଦଲିଲ ପଞ୍ଜୀକରଣରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ଓଡ଼ିଶା ସରକାର। ଏଣିକି କାଗଜପତ୍ରର ଝଞ୍ଜଟ କମିବା ସହ ଦଲିଲ ପଞ୍ଜୀକରଣ ସମ୍ପୂର୍ଣ୍ଣ ପେପରଲେସ୍ ଓ ଡିଜିଟାଲ୍ ହେବ। ଏହା ସହ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।
ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ Registration Act, 1908ରେ ଆବଶ୍ୟକ ସଂଶୋଧନ ନେଇ ବିସ୍ତୃତ ଆଲୋଚନା ହୋଇଛି। ପ୍ରସ୍ତାବିତ ସଂଶୋଧନକୁ ଶୀଘ୍ର କ୍ୟାବିନେଟ୍ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ ଏବଂ ପରେ ବିଧାନସଭାରେ ବିଲ୍ ଆଗତ କରାଯିବ।
କ’ଣ ବଦଳିବ?
ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନର ପଞ୍ଜୀକରଣ ବ୍ୟବସ୍ଥାକୁ ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ରେ ପରିଣତ କରାଯିବ। ଏଥିପାଇଁ ଆଇନର ୮ଟି ବିଦ୍ୟମାନ ବ୍ୟବସ୍ଥାରେ ସଂଶୋଧନ ଓ ୯ଟି ନୂଆ ବ୍ୟବସ୍ଥା ସାମିଲ କରିବାକୁ ପ୍ରସ୍ତାବ ରହିଛି।
ପଞ୍ଜୀକରଣଯୋଗ୍ୟ ଦଲିଲ ପାଇଁ ଷ୍ଟାଣ୍ଡାର୍ଡ ଟେମ୍ପଲେଟ୍ ପ୍ରସ୍ତୁତ ହେବ। ବିକ୍ରୟ ଦଲିଲ, ଏଗ୍ରିମେଣ୍ଟ ଟୁ ସେଲ୍, ଜେନେରାଲ୍ ପାୱାର ଅଫ୍ ଅଟର୍ଣ୍ଣି ଓ ମର୍ଟଗେଜ୍ ଭଳି ଦଲିଲଗୁଡ଼ିକର ଇଲେକ୍ଟ୍ରୋନିକ୍ ପଞ୍ଜୀକରଣ ସମ୍ଭବ ହେବ।
ଇ-ସାର୍ଟିଫିକେଟ୍କୁ ମିଳିବ ଆଇନଗତ ସ୍ୱୀକୃତି
ନୂଆ ବ୍ୟବସ୍ଥାରେ ଇଲେକ୍ଟ୍ରୋନିକ୍ ଭାବେ ଜାରି ହେଉଥିବା ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ରେ ଇଲେକ୍ଟ୍ରୋନିକ୍ ସିଗ୍ନେଚର ଓ ଇଲେକ୍ଟ୍ରୋନିକ୍ ସିଲ୍ ରହିବ। ଏହି ଡିଜିଟାଲ୍ ପ୍ରମାଣପତ୍ରର ଆଇନଗତ ବୈଧତା ଭୌତିକ ସାର୍ଟିଫିକେଟ୍ ସହ ସମାନ ରହିବ।
ଆଧାର ରହିବ ବିକଳ୍ପ, ବାଧ୍ୟତାମୂଳକ ନୁହେଁ
ନାଗରିକଙ୍କ ସମ୍ମତି ଆଧାରରେ ଆଧାର ଅଥେଣ୍ଟିକେସନ୍ ମାଧ୍ୟମରେ ପରିଚୟ ଯାଞ୍ଚ କରାଯିବ। ତେବେ ଆଧାର ବାଧ୍ୟତାମୂଳକ ହେବ ନାହିଁ। ଅଫଲାଇନ୍ ଯାଞ୍ଚ, ସରକାରୀ ବୈଧ ପରିଚୟପତ୍ର ଓ ଇ-ଡକ୍ୟୁମେଣ୍ଟ ମାଧ୍ୟମରେ ମଧ୍ୟ ପରିଚୟ ସତ୍ୟାପନ ସମ୍ଭବ ହେବ।
ଲ୍ୟାଣ୍ଡ ରେକର୍ଡ ସହ ହେବ ସିଧା ସଂଯୋଗ
ପଞ୍ଜୀକରଣ ରେକର୍ଡକୁ ଲ୍ୟାଣ୍ଡ ରେକର୍ଡ, ରାଜସ୍ୱ ରେକର୍ଡ, କ୍ୟାଡାଷ୍ଟ୍ରାଲ୍ ମ୍ୟାପ୍, ପୌରାଞ୍ଚଳ, ପ୍ଲାନିଂ ଅଥରିଟି ଓ ଆର୍ଥିକ ଅନୁଷ୍ଠାନ ସହ ଡିଜିଟାଲ୍ ଭାବେ ସଂଯୋଗ କରାଯିବ। ଏହାଫଳରେ ମ୍ୟୁଟେଶନ୍ ପ୍ରକ୍ରିୟା ମଧ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନଲାଇନ୍ ହୋଇପାରିବ। ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ପଞ୍ଜୀକରଣ ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ଦ୍ରୁତ, ସୁରକ୍ଷିତ ଓ ନାଗରିକକୈନ୍ଦ୍ରିକ ହେବ।