ଭୁବନେଶ୍ୱର: ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କ ପାଇଁ ବଡ଼ ଖୁସି ଖବର। CM-KISAN ଯୋଜନାର ପଞ୍ଚମ କିସ୍ତି ଭାବେ ୮୩୩ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ସିଧାସଳଖ ଡିବିଟି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର OUAT କୃଷି ସଦନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଇଚ୍ ଟିପି ଏହି ଅର୍ଥ ହସ୍ତାନ୍ତର କରିଛନ୍ତି।
ଯୋଜନା ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ ଚାଷୀ ପରିବାରଙ୍କୁ ୨,୦୦୦ ଟଙ୍କା ସହାୟତା ରାଶି ମିଳିଛି। ଏହି ଅର୍ଥ ଖରିଫ ଓ ରବି ଚାଷ ପାଇଁ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କ୍ରୟରେ ସହାୟକ ହେବ ବୋଲି ସରକାର କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷକଙ୍କ ଆର୍ଥିକ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚାଷୀଙ୍କୁ ସମୟୋପଯୋଗୀ ଆର୍ଥିକ ସହାୟତା ମିଳିଲେ ଉତ୍ପାଦନ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତି ମଧ୍ୟ ଅଧିକ ସୁଦୃଢ଼ ହେବ।
CM-KISAN ଯୋଜନାର ବିଶେଷତ୍ୱ ହେଉଛି, ଏଥିରେ ଭୂମିହୀନ କୃଷକ ପରିବାର ଏବଂ ପିଭିଟିଜି ସମୁଦାୟଙ୍କୁ ମଧ୍ୟ ସାମିଲ କରାଯାଇଛି। ଫଳରେ କୃଷି ସହ ଜଡ଼ିତ ଅଧିକ ସଂଖ୍ୟକ ପରିବାର ସରକାରୀ ସହାୟତାର ସୁବିଧା ପାଉଛନ୍ତି।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କେବଳ ଚାଷୀଙ୍କ ହାତକୁ ଅର୍ଥ ପହଞ୍ଚାଇବା ନୁହେଁ, ବରଂ କୃଷି ଉତ୍ପାଦନ, ଜୀବିକା ଓ ଗ୍ରାମୀଣ ବିକାଶକୁ ଆହୁରି ଗତିଶୀଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।