ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ବେଙ୍ଗାଲୁରୁ ଯିବା ପାଇଁ ଷ୍ଟେସନରେ ଅପେକ୍ଷା କରୁଥିବା ୨୦ ବର୍ଷୀୟା ଜଣେ ଯୁବତୀଙ୍କୁ ଟିକେଟ୍ କରାଇଦେବାର ପ୍ରଲୋଭନ ଦେଇ ଷ୍ଟେସନ ପରିସରର ଏକ ଭାଲ୍ଭ ରୁମ୍କୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ଘଟଣାରେ ସରକାରୀ ରେଳ ପୋଲିସ (GRP) ଷ୍ଟେସନରେ କାର୍ଯ୍ୟରତ ୫୪ ବର୍ଷୀୟ କର୍ମଚାରୀ କପିଲେଶ୍ୱର ସିଂହଙ୍କୁ ଗିରଫ କରିଛି। ସେ ରେଳବାଇର ଭାଲ୍ଭମ୍ୟାନ୍ ଭାବେ କାମ କରୁଥିଲେ।
ପୋଲିସ ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲାର ଏହି ଯୁବତୀ ବେଙ୍ଗାଲୁରୁ ଯିବା ପାଇଁ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ। ତାଙ୍କ ପାଖରେ କନଫର୍ମ ଟିକେଟ୍ ନଥିବାରୁ ସେ ମୁଖ୍ୟ ପ୍ରବେଶ ପଥ ନିକଟରେ ଅପେକ୍ଷା କରୁଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କୁ ଟିକେଟ୍ ବ୍ୟବସ୍ଥା କରିଦେବା କହି ଭାଲ୍ଭ ରୁମ୍କୁ ଡାକି ନେଇଥିବା ଏବଂ ସେଠାରେ ଯୌନ ନିର୍ଯାତନା କରିଥିବା ଅଭିଯୋଗ ରହିଛି।
ଘଟଣା ପରେ ଯୁବତୀ ଅଭିଯୁକ୍ତଙ୍କୁ ଚିହ୍ନଟ କରି GRP ନିକଟରେ ଅଭିଯୋଗ କରିଥିଲେ। ତାଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।
GRP ଭାରତୀୟ ନ୍ୟାୟ ସଂହିତା (BNS) ଧାରା 64(2)(b) ଅନୁଯାୟୀ ମାମଲା ରୁଜୁ କରିଛି। ବୈଜ୍ଞାନିକ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଥିବା ବେଳେ ତଦନ୍ତ ଜାରି ରହିଛି।
ଅନ୍ୟପଟେ, ଚକ୍ରଧରପୁର ରେଳ ଡିଭିଜନର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଆଦିତ୍ୟ ଚୌଧୁରୀ କହିଛନ୍ତି, ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।