ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝାରିଗାଁ ଥାନା ଅଧୀନ ଗୌଣ୍ଟିଆଗୁଡ଼ା ଗାଁରେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଠାକୁରଙ୍କ ଘରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ବଡ଼ ସଫଳତା ପାଇଛି। ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ନଗଦ ଟଙ୍କା, ବାଇକ୍, ମୋବାଇଲ୍ ଓ ଡକାୟତିରେ ବ୍ୟବହୃତ ଅସ୍ତ୍ର ଜବତ କରାଯାଇଛି।
ଗତ ଜୁଲାଇ ୧୦ ତାରିଖ ବିଳମ୍ବିତ ରାତିରେ ୫ରୁ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଲକ୍ଷ୍ମଣ ଠାକୁରଙ୍କ ଘରେ ପଶି ଆଲମିରା ଭାଙ୍ଗି ୩ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ଝାରିଗାଁ ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ଉମାକାନ୍ତ ହରିଜନ (୨୨) ଓ ଧନସାଇ ମୋହରା (୨୭)। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ପୋଲିସ ସେମାନଙ୍କଠାରୁ ୧.୫୫ ଲକ୍ଷ ଟଙ୍କା, ଗୋଟିଏ ମୋଟରସାଇକେଲ୍, ୩ଟି ମୋବାଇଲ୍ ଫୋନ୍ ଓ ଡକାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଦୁଇ ଅଭିଯୁକ୍ତ ୨୦୨୪ ନଭେମ୍ବରରେ ହାତିବାଡ଼ି ଗାଁରେ ଘଟିଥିବା ଅନ୍ୟ ଏକ ଡକାୟତି ଘଟଣାରେ ମଧ୍ୟ ସମ୍ପୃକ୍ତ ଥିଲେ। ଏହି ଗ୍ୟାଙ୍ଗର ଆଉ ୩ରୁ ୪ ଜଣ ସଦସ୍ୟ ଫେରାର ଥିବା ବେଳେ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ସହ ଲୁଟ୍ ହୋଇଥିବା ସୁନା ଅଳଙ୍କାର ଉଦ୍ଧାର କରାଯିବ ବୋଲି ପୋଲିସ କହିଛି।
ଉମରକୋଟ ଏସଡିପିଓ ଶୁଭେନ୍ଦୁ ସବର ପ୍ରେସମିଟ୍ରେ କହିଛନ୍ତି ଯେ, ଏସପିଙ୍କ ତତ୍ତ୍ୱାବଧାନରେ ଝାରିଗାଁ ଓ କୋରାପୁଟ ପୋଲିସର ମିଳିତ ଅଭିଯାନରେ ଏହି ସଫଳତା ମିଳିଛି।