ରାଉରକେଲା ସହରରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ବ୍ରାହ୍ମଣୀ ତରଙ୍ଗ ଥାନା ଅଧୀନ IDC ଅଞ୍ଚଳର ଏକ ଡ୍ରେନରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ।
ସୂଚନା ଅନୁସାରେ, ସ୍ଥାନୀୟ ଲୋକେ ଡ୍ରେନରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଛାନଭିନ୍ ଆରମ୍ଭ କରିଛି।
ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତର ଚିହ୍ନ ରହିଛି। ଏହାକୁ ଦେଖି ତାଙ୍କୁ କୌଣସି ଭାରୀ କିମ୍ବା ଧାରୁଆ ବସ୍ତୁରେ ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି। ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଅନ୍ୟ ସ୍ଥାନରୁ ଆଣି ଡ୍ରେନରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ ମଧ୍ୟ ଉଠିଛି।
ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ପରେ ହତ୍ୟାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।
ଘଟଣାକୁ ନେଇ ରାଉରକେଲାରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିବା ବେଳେ, ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।