ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷାକୁ ପୁଣି ଥରେ ନେଇ ଉଠିଛି ବଡ଼ ପ୍ରଶ୍ନ। ଶୁକ୍ରବାର ସନ୍ଧ୍ୟାରେ ନୋ-ଫ୍ଲାଇ ଜୋନ୍ ଘୋଷିତ ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଶତାଧିକ ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ତ୍ୱେ ଡ୍ରୋନ୍ କେମିତି ମନ୍ଦିର ଉପରେ ଦୀର୍ଘ ସମୟ ଧରି ଉଡ଼ିଲା, ତାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଡ୍ରୋନ୍ଟି ମନ୍ଦିର ଉପରେ କିଛି ସମୟ ଚକ୍କର କାଟିବା ପରେ ହଠାତ୍ ଉଭାନ ହୋଇଯାଇଥିଲା। ତେବେ ଏହା କେଉଁଠାରୁ ଉଡ଼ାଯାଇଥିଲା ଏବଂ କିଏ ଅପରେଟ୍ କରୁଥିଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୁରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବାରମ୍ବାର ଭଙ୍ଗୁଛି ନିୟମ
ଶ୍ରୀମନ୍ଦିର ଓ ଏହାର ଆଖପାଖ ଅଞ୍ଚଳକୁ ନୋ-ଫ୍ଲାଇ ଜୋନ୍ ଘୋଷଣା କରାଯାଇଛି। ନିୟମ ଅନୁଯାୟୀ, ବିନା ଅନୁମତିରେ ଡ୍ରୋନ୍ ଉଡ଼ାଇଲେ ତାହାକୁ ଜବତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ତଥାପି ବାରମ୍ବାର କିଛି ୟୁଟ୍ୟୁବର ଓ କଣ୍ଟେଣ୍ଟ କ୍ରିଏଟର ଡ୍ରୋନ୍ରେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରୁଥିବା ଅଭିଯୋଗ ଆସୁଛି।
ଏହା ସହ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେଇ ଫଟୋ ଓ ଭିଡିଓ କରିବା ଘଟଣା ମଧ୍ୟ ଲଗାତାର ସାମ୍ନାକୁ ଆସୁଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା ପଦକ୍ଷେପ ନ ହେବାରୁ ଏଭଳି ଘଟଣାର ପୁନରାବୃତ୍ତି ହେଉଥିବା ଅଭିଯୋଗ କରିଛନ୍ତି ଭକ୍ତମାନେ।
ଆଣ୍ଟି-ଡ୍ରୋନ୍ ସିଷ୍ଟମ କେବେ?
ଗତବର୍ଷ କେନ୍ଦ୍ରାଞ୍ଚଳ ଡିଆଇଜି ଡ଼. ସତ୍ୟଜିତ ନାୟକ ଶ୍ରୀମନ୍ଦିର ଓ ନିକଟବର୍ତ୍ତୀ ଅଞ୍ଚଳରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ ଲଗାଯିବ ବୋଲି ସୂଚନା ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନଥିବାରୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।