ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସହାରନପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିବାଦୀୟ ମସଜିଦକୁ ଜିଲ୍ଲା ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଛେଦ କରାଯାଇଛି । ଶନିବାର ସକାଳୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମସଜିଦ ଉପରେ ବୁଲଡୋଜର୍ ଚାଲିଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ସମାଜବାଦୀ ପାର୍ଟି ସାଂସଦ ଇକରା ହାସନଙ୍କୁ ଗୃହବନ୍ଦୀ କରାଯିବା ସହିତ ଉଚ୍ଛେଦ ସ୍ଥଳରେ ବ୍ୟାପକ ପରିମାଣରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
୨୦୨୫, ମାର୍ଚ୍ଚ ମାସରେ ବଜରଙ୍ଗ ଦଳର ପୂର୍ବତନ ଆଞ୍ଚଳିକ ସଂଯୋଜକ ବିକାଶ ତ୍ୟାଗୀ ମସଜିଦ ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ କରିଥିଲେ । ଏଥିରେ ବ୍ୟବସାୟୀକରଣ ହେଉଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ଅସୁରକ୍ଷିତ ଥିବା ଦର୍ଶାଇ ସେ ଆବେଦନ କରିଥିଲେ । ପ୍ରାୟ ଦେଢ଼ ବର୍ଷ ଧରି ମାମଲା ଚାଲିବା ପରେ ଜିଲ୍ଲା ଅଦାଲତ ନିର୍ମିତ ମସଜିଦ ବେଆଇନ ବୋଲି ଦର୍ଶାଇଥିଲେ । ଏହା ପରେ ମସଜିଦକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗତକାଲି ସନ୍ଧ୍ୟାଠାରୁ ମସଜିଦ ଭଙ୍ଗା ଯିବା ନେଇ ଖବର ପ୍ରସାରିତ ହେବା ପରେ ମୁସଲମାନ ସମ୍ପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ସାଂସଦ ଇମରାନ ମସୁଦ ସୋସିଆଲ ମିଡ଼ିଆରେ ଏହାକୁ ନେଇ ପୋଷ୍ଟ ମଧ୍ୟ କରିଥିଲେ । ଗତକାଲି ରାତିରେ ସାଂସଦ ଇକରା ହସନ ସହାରନପୁର ଯିବାକୁ ଉଦ୍ୟତ ହେଉଥିବାବେଳେ ପୋଲିସ ତାଙ୍କ ବାସଭବନ ନିକଟରେ ପହଁଚି ତାଙ୍କୁ ଗୃହବନ୍ଦୀ କରିଥିଲା । ଏହା ପରେ ପୋଲିସ ଛାଉଣୀ କରିଦିଆଯାଇଥିଲା । ଶନିବାର ସକାଳୁ ବଲୁଡୋଜର୍ ଆକ୍ସନ ହୋଇଛି । ତେବେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ପନ୍ନ ହେବା ଆଶଙ୍କାରେ ସହର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।