ନୂଆଦିଲ୍ଲୀ: ବ୍ରିଟେନର ଦ୍ୱିତୀୟ ସର୍ବବୃହତ ସହର ବର୍ମିଂହାମର ମେୟର ଜାକିର ଚୌଧୁରୀ କାଶ୍ମୀରକୁ ନେଇ ଏକ ବିବାଦୀୟ ବୟାନ ଦେବା ପରେ ଭାରତ କଡ଼ା ଜବାବ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସମ୍ପୂର୍ଣ୍ଣ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଅଭିନ୍ନ ଅଙ୍ଗ ଥିଲା, ଅଛି ଏବଂ ରହିବ।
ଗତ ମାସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବର୍ମିଂହାମ ମେୟର ଜାକିର ଚୌଧୁରୀ କାଶ୍ମୀରକୁ ପାକିସ୍ତାନର ଅଂଶ ବୋଲି ଦାବି କରିଥିଲେ। ସେ କହିଥିଲେ, "କାଶ୍ମୀର ଆମର, ପାକିସ୍ତାନ ଆମର ଏବଂ ସେନା ମଧ୍ୟ ଆମର।" ଏହା ସହିତ ସେ ପାକିସ୍ତାନ ଏବଂ କାଶ୍ମୀର ପକ୍ଷକୁ ଆଲୋଚନା ଟେବୁଲକୁ ଆସିବାକୁ ଅପିଲ୍ କରିଥିଲେ। ତେବେ ତାଙ୍କର ଏଭଳି ମନ୍ତବ୍ୟ ପରେ ବ୍ରିଟେନର ଅନେକ ନାଗରିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କୁ ଡିପୋର୍ଟ କରିବାକୁ ଦାବି କରିଥିଲେ।
ଭାରତର କଡ଼ା ପ୍ରତିକ୍ରିୟା
ଏହି ପ୍ରସଙ୍ଗରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ସମଗ୍ର ଜମ୍ମୁ-କାଶ୍ମୀର ଏବଂ ଲଦାଖ ସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ। ପାକିସ୍ତାନ ସମ୍ପର୍କରେ ଭାରତର ନୀତି ମଧ୍ୟ ସ୍ପଷ୍ଟ ରହିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
କିଏ ଏହି ଜାକିର ଚୌଧୁରୀ
ଜାକିର ଚୌଧୁରୀ ଚଳିତ ବର୍ଷ ମେ’ ମାସରେ ବର୍ମିଂହାମ ସହରର ୧୧୬ତମ ମେୟର ଭାବେ ଶପଥ ଗ୍ରହଣ କରିଥିଲେ। ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ଜାକିର ୧୯୬୯ ମସିହାରେ (ପ୍ରାୟ ୧୪ ବର୍ଷ ବୟସରେ) ବ୍ରିଟେନକୁ ଚାଲିଯାଇଥିଲେ। ସେ ଜଣେ ରାଜନେତା ହେବା ସହିତ ବିଭିନ୍ନ ବ୍ୟବସାୟିକ ଏବଂ ସାମାଜିକ କାର୍ଯ୍ୟକ୍ରମ ସହିତ ମଧ୍ୟ ଜଡ଼ିତ ରହିଛନ୍ତି।