ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀକୁ ନେଇ ପ୍ରସ୍ତୁତ ‘ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍’ ପୁସ୍ତକର ପ୍ରକାଶନରୁ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ଓହରିବା ପରେ ହାର୍ପରକଲିନ୍ସ ଇଣ୍ଡିଆ ପ୍ରକାଶନ ଦାୟିତ୍ୱ ନେବାକୁ ଘୋଷଣା କରିଛି । ନଭେମ୍ବର ୧୦ ତାରିଖରେ ଏହି ପୁସ୍ତକ ବିଶ୍ୱବ୍ୟାପୀ ଉନ୍ମୋଚିତ ହେବ ।
‘ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍’ ପୁସ୍ତକରେ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ଲେଖା ଯାଇଛି । ଯୁଦ୍ଧ ପରବର୍ତ୍ତୀ ଇଟାଲୀରେ ସୋନିଆ ଗାନ୍ଧୀଙ୍କ ପିଲାଦିନରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସାକ୍ଷାତ, ପ୍ରେମ ସମ୍ପର୍କ, ବିବାହ, ଭାରତରେ ରାଜନୈତିକ ଜୀବନ ଉପରେ ପୁସ୍ତକଟି ଆଧାରିତ ।
ପ୍ରଥମେ ପୁସ୍ତକ ପ୍ରକାଶନ ସଂସ୍ଥା ପେଙ୍ଗୁଇନ୍ ଇଣ୍ଡିଆ ଏହାର ପ୍ରକାଶନ ଦାୟିତ୍ୱ ନେଇଥିଲେ । କିନ୍ତୁ କମ୍ପାନୀ ପୁସ୍ତକ ମୂଳ ଲେଖାର କିଛିଟା ସଂଶୋଧନ କରିବାକୁ କହିଥିଲେ । ମାତ୍ର ସୋନିଆ ଗାନ୍ଧୀ ଏଥିରେ ରାଜି ନ ହେବାରୁ ଶେଷରେ ପେଙ୍ଗୁଇନ୍ ପୁସ୍ତକ ପ୍ରକାଶନରୁ ନିଜକୁ ପ୍ରତ୍ୟାହାର କରି ନେଇଥିଲା । ପରେ ହାର୍ପରକଲିନ୍ସ ଇଣ୍ଡିଆ ପୁସ୍ତକ ପ୍ରକାଶ କରିବାକୁ ଘୋଷଣା କରିଛି ।