ଯାଜପୁର ଜିଲ୍ଲାରେ ପ୍ରଶିକ୍ଷଣ ନେବାକୁ ଆସିଥିବା ଜଣେ ନବନିଯୁକ୍ତ ହୋମ୍ଗାର୍ଡ (ଗୃହରକ୍ଷୀ) ଟ୍ରେନିଙ୍ଗ୍ ସମୟରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ହୋମ୍ଗାର୍ଡଙ୍କ ନାମ ରାକେଶ ଜେନା ଏବଂ ସେ କଳିଙ୍ଗନଗର ଅଞ୍ଚଳର ବାସିନ୍ଦା ଥିଲେ।
ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ରିଜର୍ଭ ଲାଇନ୍ ପୋଖରୀରେ ଏହି ଘଟଣା ଘଟିଛି । ରାକେଶ ଜେନା ନିକଟରେ ଯାଜପୁରରେ ଅନୁଷ୍ଠିତ ହୋମ୍ଗାର୍ଡ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପ୍ରଶିକ୍ଷଣ ପାଇଁ ଯୋଗ ଦେଇଥିଲେ।ପ୍ରଶିକ୍ଷଣ ନେଉଥିବା ସମୟରେ ପୋଖରୀରେ ବୁଡ଼ିଯାଇଥିଲେ ସଙ୍ଗେସଙ୍ଗେ ରାକେଶଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି।
ଅନ୍ୟପଟେ ଏହି ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି କାରଣ ପୋଖରୀଟି ଏସ୍ପି (SP) କାର୍ଯ୍ୟାଳୟ ପରିସର ମଧ୍ୟରେ ଅବସ୍ଥିତ। ଖବର ଅନୁଯାୟୀ, ଘଟଣା ଦିନ ଜେନାଙ୍କର କୌଣସି ନିର୍ଦ୍ଧାରିତ ପ୍ରଶିକ୍ଷଣ ନଥିଲା ତେଣୁ ସେ କେଉଁ ପରିସ୍ଥିତିରେ ପୋଖରୀ ନିକଟକୁ ଯାଇଥିଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ତେବେ ଘଟଣା ପରେ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ କରାଯାଇଛି ।