ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ବାଉଁଶିଆପଡା ନିକଟରେ ଶୁକ୍ରବାର ଏକ ଘରୋଇ ଯାତ୍ରୀବାହୀ ବସ୍ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭୁବନେଶ୍ୱରରୁ ନୟାଗଡ଼ ଆସୁଥିବା ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବଡ଼ ଗଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ମୃତ ଡ୍ରାଇଭରଙ୍କ ପରିଚୟ ଖୋର୍ଦ୍ଧା ଜିଲ୍ଲା ପିଛୁକୁଳି ଗାଁର ନୀରଞ୍ଜନ ସ୍ୱାଇଁ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ଡ୍ରାଇଭର କ୍ୟାବିନ୍ରେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍ରେ ଫସି ରହିଥିବା ଯାତ୍ରୀଙ୍କୁ ବାହାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ୮ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଖବର ପାଇ ନୟାଗଡ଼ ବିଧାୟକ, ଜିଲ୍ଲାପାଳ ଓ ସବ୍-କଲେକ୍ଟର ଘଟଣାସ୍ଥଳ ଏବଂ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପୋଲିସ ଦୁର୍ଘଟଣାର କାରଣ ତଦନ୍ତ କରୁଥିବା ବେଳେ ପ୍ରାଥମିକ ସୂଚନା ଅନୁଯାୟୀ, ବସ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଜଣାପଡ଼ିଛି।