ଭୁବନେଶ୍ୱର: ସାଧାରଣ ଲୋକଙ୍କ ଯାତ୍ରାକୁ ଆହୁରି ସୁରକ୍ଷିତ କରିବା ଦିଗରେ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ସ୍ୱଶାସନ ଦିବସ ଅବସରରେ Odisha Yatri Safety App ଲଞ୍ଚ କରିଛନ୍ତି। ସରକାରଙ୍କ ଦାବି ଅନୁଯାୟୀ, ଏହା ଭାରତର ପ୍ରଥମ ରାଜ୍ୟ ସରକାର ପରିଚାଳିତ ସେଫ୍ଟି ଆପ୍, ଯାହା ଯାତ୍ରୀ ଓ ଡ୍ରାଇଭରଙ୍କୁ ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା ପହଞ୍ଚାଇବ।
ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଓ Odisha Yatriର ବ୍ରାଣ୍ଡ ଆମ୍ବାସାଡର ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ଉପସ୍ଥିତ ଥିଲେ।
ମୋବାଇଲ୍ ହଲାଇଲେ ହିଁ ଯିବ ଆଲର୍ଟ
ଏହି ଆପ୍ର ସବୁଠୁ ଆକର୍ଷଣୀୟ ଫିଚର ହେଉଛି ‘Shake & Alert’। ବିପଦ ସମୟରେ କେବଳ ମୋବାଇଲ୍କୁ ହଲାଇଲେ ହିଁ SOS ଆଲର୍ଟ ସକ୍ରିୟ ହୋଇଯିବ। ଯଦି ଆପ୍ ଖୋଲିବା ସମ୍ଭବ ନୁହେଁ, ତେବେ ମଧ୍ୟ ଏହି ବ୍ୟବସ୍ଥା ଜରୁରୀ ସହାୟତା ମାଗିବାର ସୁଯୋଗ ଦେବ। ସେହିପରି One-Click SOS ଦବାଇଲେ ସିଧାସଳଖ ୧୧୨ ଜରୁରୀ ସେବାକୁ କଲ୍ ଯିବା ସହ ନିଜର ବିଶ୍ୱସ୍ତ ବ୍ୟକ୍ତିଙ୍କୁ ମଧ୍ୟ ସୂଚନା ପହଞ୍ଚିବ।
ଆପ୍ରେ ମିଳିବ ଏହି ସବୁ ସୁବିଧା
- ଓ୍ୱାନ୍-କ୍ଲିକ୍ SOS ଓ ଜରୁରୀ ସହାୟତା
- Shake & Alert ଦ୍ୱାରା ଗୁପ୍ତ SOS ସକ୍ରିୟ
- ଲାଇଭ୍ ଲୋକେସନ୍ ସେୟାରିଂ
- ପୋଲିସ, ଆମ୍ବୁଲାନ୍ସ ଓ ଫାୟାର ସେବାକୁ ତୁରନ୍ତ ଆକ୍ସେସ୍
- ଅଡିଓ ରେକର୍ଡିଂ ଓ ସେୟାର ବ୍ୟବସ୍ଥା
- Trusted Contact ଇଣ୍ଟିଗ୍ରେସନ୍
- ‘Mark Ride as Safe’ ଫିଚର
- ସମସ୍ତ ଜରୁରୀ ହେଲ୍ପଲାଇନ୍ ଏକ ସ୍ଥାନରେ
ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷିତ, ସୁଲଭ ଓ ନିର୍ଭରଯୋଗ୍ୟ ପରିବହନ ହିଁ ନାଗରିକ-ବନ୍ଧବ ସହରର ପରିଚୟ। ବିଶେଷକରି ମହିଳାମାନେ ଭୟମୁକ୍ତ ଭାବେ ସ୍ୱାଧୀନ ଯାତ୍ରା କରିପାରିବେ, ସେଥିପାଇଁ ପ୍ରଯୁକ୍ତିର ସଦୁପଯୋଗ କରାଯାଇଛି।
ଅର୍ଚ୍ଚିତା ସାହୁ ମହିଳା ଓ ଯୁବପିଢ଼ୀଙ୍କୁ ଆପ୍ ଡାଉନଲୋଡ୍ କରି ସମସ୍ତ ସେଫ୍ଟି ଫିଚର ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ରାଇଡ୍ ବୁକିଂ, Ama Bus, FASTicket ଓ ବୋଟିଂ ସେବା ଦେଉଥିବା Odisha Yatri ଏବେ ସୁରକ୍ଷାର ନୂଆ ଅଧ୍ୟାୟ ଯୋଡ଼ିଛି।