ପୁରୀ: ପୁରୀ ଜିଲ୍ଲାରେ ବଡ଼ ଧରଣର ଗଞ୍ଜେଇ କାରବାରର ପର୍ଦ୍ଦାଫାଶ କରିଛି ପୋଲିସ। ପେଣ୍ଠକଟା ମେରାଇନ୍ ଥାନା ପୋଲିସ ଗୋପାଳପୁର ଗ୍ରାମର ଏକ ଭଡ଼ା ଘରେ ଚଢ଼ାଉ କରି ପ୍ରାୟ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ କାର୍ତ୍ତିକେଶ୍ୱର ସାମନ୍ତରାୟ ଓ ଦେବେନ୍ଦ୍ର ସାହୁ। ସୂଚନା ଅନୁଯାୟୀ, ଫାର୍ମାସି କଲେଜ ନିକଟରେ ଥିବା ଏହି ଘରଟି ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ଚନ୍ଦ୍ରଧ୍ୱଜ ପାତ୍ରଙ୍କର ହୋଇଥିବା ବେଳେ ଏହାକୁ ଅଭିଯୁକ୍ତମାନେ ଭଡ଼ାରେ ନେଇ ଗଞ୍ଜେଇ ମହଜୁଦ ରଖୁଥିଲେ।
ନିର୍ଭରଯୋଗ୍ୟ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଘର ଭିତରୁ ୧୭୬ଟି ପ୍ୟାକେଟ୍ରେ ପ୍ୟାକ୍ ହୋଇଥିବା ଗଞ୍ଜେଇ ଜବତ ହୋଇଛି। ପୋଲିସର ସନ୍ଦେହ, ପରେ ଏହି ଗଞ୍ଜେଇକୁ ବିଭିନ୍ନ ସ୍ଥାନରେ ବିତରଣ କରିବାକୁ ଯୋଜନା ଥିଲା।
ପୁରୀ ଏସ୍ପି ପ୍ରତୀକ ସିଂହ କହିଛନ୍ତି, ଉଭୟ ଅଭିଯୁକ୍ତ ପୂର୍ବରୁ ମଧ୍ୟ ନିଶାଦ୍ରବ୍ୟ କାରବାର ସହ ଜଡ଼ିତ ଥିଲେ। ଟିପ୍ଅଫ୍ ଆଧାରରେ ଚଢ଼ାଉ କରାଯାଇ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଘଟଣାରେ ପୋଲିସ ମାମଲା ରୁଜୁ କରି ଗଞ୍ଜେଇର ଉତ୍ସ, ଚୋରାଚାଲାଣ ଚକ୍ର ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ତଦନ୍ତ ଜାରି ରଖିଛି।