ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ବଡଗାମ ଜିଲ୍ଲାର ଅସଦର ଗାଲି ଅଞ୍ଚଳରେ ଭାରତୀୟ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ସେହି ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି ।
ଶୁକ୍ରବାର ଭାରତୀୟ ସେନା, ୟୁସମାର୍ଗର ଉପର ମୁଣ୍ଡରେ ଆତଙ୍କବାଦୀଙ୍କୁ ଦେଖା ଯାଇଥିବା ଖବର ମିଳିଥିଲା । ଏହା ପରେ ଜମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ ଦ୍ୱାରା ମିଳିତ ସର୍ଚ୍ଚ ଅପରେସନ ଅନୁଷ୍ଠିତ ହୋଇଥିଲା । ଏହି ମିଳିତ ଅପରେସନରେ ଏକ ବଡ଼ ସଫଳତା ମିଳିଛି । ସର୍ଚ୍ଚ ସମୟରେ ସୈନ୍ୟମାନେ ଆଗକୁ ବଢ଼ିବା ସମୟରେ, ଏକ ପାହାଡ଼ ପାର୍ଶ୍ୱରେ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ଏହା ପରେ ସେନା ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ନିକଟବର୍ତ୍ତୀ ଶିବିରରୁ ଅତିରିକ୍ତ ସୁରକ୍ଷା ବାହିନୀ ଦଳକୁ ଏନକାଉଣ୍ଟର ସ୍ଥଳକୁ ପଠାଯାଇଥିଲା। ପରେ ସୈନ୍ୟମାନେ ଆତଙ୍କବାଦୀମାନଙ୍କୁ ଚାରିପାଖରୁ ଘେରି ଯାଇଥିଲେ । ପରେ ସେନାର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି ଏବଂ ଏକ ଏକେ-୪୭ ରାଇଫଲ୍ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଆତଙ୍କବାଦୀକୁ ଲୁଚି ରହିଥିବା ଅନୁମାନ କରାଯାଉଥିବାବେଳେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।