ଭୁବନେଶ୍ୱର : ବିରୋଧୀ ଦଳ ଉପନେତା ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସାଇବର ଅପରାଧର ଶିକାର ହୋଇଛନ୍ତି ଏବଂ ତାଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଛି। ଏହି ଘଟଣାକୁ ନେଇ ସେ ସାଇବର ଥାନାରେ ଏକ ଆନୁଷ୍ଠାନିକ ଅଭିଯୋଗ ମଧ୍ୟ ଦାୟର କରିଛନ୍ତି।
ଆଜି ସକାଳ ସମୟରେ ତାଙ୍କ ପାଖକୁ ଏକ ଅଜଣା ଫୋନ୍ କଲ୍ ଆସିଥିଲା। ଦିଲ୍ଲୀରୁ ଏକ ପାର୍ସଲ ଆସିଛି ବୋଲି କହି ସାଇବର ଠକମାନେ ତାଙ୍କୁ ଠିକଣା ମାଗିଥିଲେ। ଏହି କଲ୍ ଏବଂ ସୂଚନା ଆଦାନପ୍ରଦାନ ପରେ ତାଙ୍କ ମୋବାଇଲ୍ ଫୋନଟି ସମ୍ପୂର୍ଣ୍ଣ ରୂପେ ହ୍ୟାକ୍ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ପ୍ରସନ୍ନ ଆକାଉଣ୍ଟରୁ ଟଙ୍କା ମାଗୁଥିବାର ମେସେଜର ସ୍କ୍ରିନ୍ସଟ୍ ସାମ୍ନାକୁ ଆସିବା ପରେ ଘଟଣା ଜଣାପଡ଼ିଛି। ତେଣୁ କେହି ଦୁର୍ବୃତ୍ତ ତାଙ୍କ ଆକାଉଣ୍ଟ ହ୍ୟାକ୍ କରିଥିବା ସନ୍ଦେହ ପ୍ରକାଶ ପାଇଛି । ସ୍କ୍ରିନ୍ସଟ୍ରେ ଉକ୍ତ ନମ୍ବରରୁ ପ୍ରଥମେ ‘Hello’ ଏବଂ ପରେ ‘Ek help chahiye tha’ ବୋଲି ବାର୍ତ୍ତା ପଠାଯାଇଥିବା ଦେଖାଯାଉଛି ।ତେବେ ଏହି ହ୍ୱାଟ୍ସଆପ୍ ଆକାଉଣ୍ଟ କାହାର ନିୟନ୍ତ୍ରଣରେ ରହିଛି ଏବଂ ବାର୍ତ୍ତାଗୁଡ଼ିକ ପ୍ରକୃତରେ କିଏ ପଠାଉଛି ? ତାହାକୁ ନେଇ ପ୍ରଶ୍ନ ଉଠିଛି । ଏମିତିରେ ଏହାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସତର୍କ ରହିବାକୁ ସାଇବର ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି ।