ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ନିଜ ଦେଶର ଇତିହାସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ଯୁଦ୍ଧ ପରବର୍ତ୍ତୀ ଇଟାଲୀ ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ପଦରେ ରହିବାର ସେ ଗୌରବ ଅର୍ଜନ କରିଛନ୍ତି। ଏହି ସଫଳତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଅଭିନନ୍ଦନ ଜଣାଇଥିବାବେଳେ, ମେଲୋନୀ ମଧ୍ୟ ଏହାର ପ୍ରତ୍ୟୁତ୍ତରରେ ଭାରତ-ଇଟାଲୀ ବନ୍ଧୁତାକୁ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଏକ୍ସ'ରେ ପୋଷ୍ଟ କରି ଲେଖିଛନ୍ତି, ମୋର ବନ୍ଧୁ ତଥା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ଇଟାଲୀର ଇତିହାସର ସବୁଠାରୁ ଦୀର୍ଘତମ ସେବା ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀ ହେବା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ। ଏହି ସଫଳତା ତାଙ୍କ ନେତୃତ୍ୱ ପ୍ରତି ଇଟାଲୀ ଜନସାଧାରଣଙ୍କ ଅଗାଧ ବିଶ୍ୱାସକୁ ଦର୍ଶାଉଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଶୁଭେଚ୍ଛାର ଜବାବ ଦେଇ ଜର୍ଜିଆ ମେଲୋନୀ କହିଛନ୍ତି, ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆପଣଙ୍କର ଅଭିନନ୍ଦନ ବାର୍ତ୍ତା ଏବଂ ବନ୍ଧୁତା ପାଇଁ ଅନେକ ଧନ୍ୟବାଦ। ଆଜି ଇଟାଲୀ ଏବଂ ଭାରତ ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଦୃଢ଼ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଦେଶ ମିଳିତ ଭାବେ 'ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଇକୋନୋମିକ୍ କରିଡର' (IMEC) କୁ ବିକଶିତ କରିବା ଦିଗରେ କାର୍ଯ୍ୟ ଜାରି ରଖିବେ।
ଜର୍ଜିଆ ମେଲୋନୀଙ୍କ ଐତିହାସିକ ସଫଳତା
ଜର୍ଜିଆ ମେଲୋନୀ ୨୦୨୨ ଅକ୍ଟୋବର ୨୨ରେ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ସରକାର ବର୍ତ୍ତମାନ ସୁଦ୍ଧା ୧,୪୧୩ ଦିନ ପୂରା କରିସାରିଛି। ଏହି ସଫଳତାକୁ ସେ ଏକ ବଡ଼ ଦାୟିତ୍ୱବୋଧ ଭାବେ ଗ୍ରହଣ କରିଛନ୍ତି।
ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି ମେଲୋନୀ କହିଛନ୍ତି ଯେ, ଗତ ଚାରି ବର୍ଷ ଭେତ୍ରେ ତାଙ୍କ ସରକାର ନିଯୁକ୍ତି ସୁଯୋଗ ବୃଦ୍ଧି, ବେରୋଜଗାର ହ୍ରାସ, ପରିବାର ଓ ବ୍ୟବସାୟୀଙ୍କୁ ସହାୟତା, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆନ୍ତର୍ଜାତୀୟ ମଞ୍ଚରେ ଇଟାଲୀର ପ୍ରଭାବ ବଢ଼ାଇବା ଦିଗରେ ସଫଳ ପଦକ୍ଷେପ ନେଇଛି।