ନୂଆଦିଲ୍ଲୀ: କଥାରେ ଅଛି "ରଖେ ହରି ତ ମାରେ କିଏ" । ଏହି କଥା ଏବେ ସତ୍ୟରେ ପ୍ରମାଣିତ ହୋଇଛି । ଜନ୍ମାଷ୍ଟମୀ ଭଳି ଦିନରେ ନେପାଳରେ ଘଟିଛି ଏକ ଅଲୌକିକ ଘଟଣା । ଯେଉଁ ବନ୍ୟା ସବୁ କିଛି ଛାର ଖାର କରିଦେଲା । ସେହି ବନ୍ୟାର ୯ ଦିନ ପରେ ସାରା ବିଶ୍ୱକୁ ଚକିତ କରି ଦେବା ଭଳି ଖବର ଆସିଛି । ଦୀର୍ଘ ୯ ଦିନର ସଂଘର୍ଷ ପରେ ତ୍ରିଶୂଳୀ ଶୁଡ଼ଙ୍ଗ ଭିତରୁ ୨ ଜଣ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଉଦ୍ଧାର ଦୁଇ ଶ୍ରମିକ ହେଲେ ସଞ୍ଜୟ ଶାହ (୩୦) ଏବଂ କବୀର ମହାଜନ (୪୫) । ଶକ୍ତି, ଜଳ ସମ୍ପଦ ଓ ଜଳ ସେଚନ ବିଭାଗ ଏହି ସୂଚନା ଦେଇଛି ।
ସଞ୍ଜୟ ଏବଂ କବୀର ତ୍ରିଶୂଳୀ ହ୍ରାଇଡ୍ରୋପାୱାର ଅଟୋମେସନ୍ ପ୍ରକଳ୍ପରେ କାର୍ଯ୍ୟରତ ଥିଲେ । କବୀର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ଗତ ଅଗଷ୍ଟ ୨୬ରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଉଭୟ ତ୍ରିଶୂଳୀ ଟନେଲ୍ ମଧ୍ୟରେ ଫସି ରହିଥିଲେ । ଉଦ୍ଧାରକାରୀ ଦଳ ସେବେଠାରୁ ତ୍ରିଶୂଳୀ ଟନେଲ ଭିତରୁ ଏକାଧିକ ମୃତ ଦେହ ଉଦ୍ଧାର କରିଥିବା ବେଳେ କିଛି ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ । କିନ୍ତୁ ଏହା ପରେ ଧିରେ ଧିରେ ସମସ୍ତଙ୍କ ଆଶା ମରିଯାଇଥିଲା । ଆଜି ଉଦ୍ଧାରକାରୀ ଦଳ ଟନେଲ ଭିତରୁ ମଣିଷର ସ୍ୱର ଶୁଣିଥିଲେ । ତେଣୁ ସେଠାରେ କେହି ଫସିଥିବା ଅନୁମାନ କରାଯାଇଥିଲା ।
ଏହା ପରେ ନେପାଳ ସେନା ଏବଂ ପୋଲିସ ପକ୍ଷରୁ ମିଳିତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ତମାମ ଚେଷ୍ଟା ପରେ ସେମାନଙ୍କୁ ଉଦ୍ଧାରକାରୀ ଦଳ ଆଜି ଉଦ୍ଧାର କରିଛି । ଉଦ୍ଧାର କରାଯିବା ପରେ ତୁରନ୍ତ ଉଭୟଙ୍କୁ କାଠମାଣ୍ଡୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜପୁ ଥିଲେ ‘କୃଷ୍ଣ ନାମ’
ସଞ୍ଜୟ ଶାହ ଉଦ୍ଧାର ହେବା ପରେ କହିଛନ୍ତି ଯେ ସେ ଟନେଲ୍ ଭିତରେ କେବଳ ଭଗବାନଙ୍କୁ ଶ୍ମରଣ କରୁଥିଲେ । ସେ କେବଳ କୃଷ୍ଣ ନାମ ଜପ କରୁଥିଲେ । ଆଉ ଶେଷରେ ଜନ୍ମାଷ୍ଟମୀ ଦିନରେ ସେ ପୁନର୍ଜନ୍ମ ପାଇ ଶୁଡ଼ଙ୍ଗ ଭିତରୁ ବାହାରିଛନ୍ତି । ସେ କହିଛନ୍ତି ବିପର୍ଯ୍ୟୟ ଆସିବା ବେଳେ ସେ ସମସ୍ତଙ୍କୁ ଶୁଡ଼ଙ୍ଗ ଭିତରୁ ବାହାରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସେ ବାହାରିବା ବେଳକୁ ବିଳମ୍ବ ହୋଇଯାଇଥିଲା ଫଳରେ ସେ ଫସି ରହିଯାଇଥିଲେ ।