ଆମେରିକାର ପ୍ରମୁଖ କମ୍ପାନୀଗୁଡ଼ିକରେ ନୂତନ ପିଢ଼ି 'ଜେନ୍-ଜି'ର ଯୁବ କର୍ମଚାରୀଙ୍କ କାର୍ଯ୍ୟ, କଥାବାର୍ତ୍ତା ଶୈଳୀ ଏବଂ ପେଷାଦାର ବ୍ୟବହାରକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଧିକାଂଶ ଆମେରିକୀୟ କମ୍ପାନୀ ଜେନ୍-ଜି ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଏବଂ କାର୍ଯ୍ୟକ୍ଷେତ୍ରର ପ୍ରସ୍ତୁତିକୁ ନେଇ ସନ୍ତୁଷ୍ଟ ନାହାନ୍ତି।
ଏକ ନୂତନ ରିପୋର୍ଟ ଅନୁଯାୟୀ, ଅଫିସ୍ରେ ଇମେଲ୍ କାହାକୁ କରିବାକୁ ହେବ, ମିଟିଂରେ ଅସମ୍ମତି କିପରି ପ୍ରକାଶ କରିବାକୁ ହେବ, ବସ୍ଙ୍କୁ ପ୍ରଶ୍ନ କେତେବେଳେ ପଚାରିବାକୁ ହେବ ଏବଂ AI ରୁ ମିଳିଥିବା ଉତ୍ତରକୁ କିପରି ଯାଞ୍ଚ କରିବାକୁ ହେବ—ଏହିଭଳି ପ୍ରଶ୍ନଗୁଡ଼ିକ ନୂତନ ପିଢ଼ିର କର୍ମଚାରୀଙ୍କ ପାଇଁ ବାସ୍ତବ ଆହ୍ୱାନ ପାଲଟିଛି।
'ନ୍ୟାସନାଲ ଆସୋସିଏସନ୍ ଅଫ୍ କଲେଜ୍ ଆଣ୍ଡ୍ ଏମ୍ପ୍ଲୋୟର୍ସ' ର ସର୍ଭେରେ ୭୧% କମ୍ପାନୀ ସ୍ୱୀକାର କରିଛନ୍ତି ଯେ ନୂତନ ଛାତ୍ରଛାତ୍ରୀମାନେ କାମ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହଁନ୍ତି। ୭୫% କମ୍ପାନୀ ନୂତନ କର୍ମଚାରୀଙ୍କ ପ୍ରଦର୍ଶନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟ ଏକ ସର୍ଭେରେ ୩୭% ବସ୍ଙ୍କ କହିବା କଥା ଯେ, ସେମାନେ କୌଣସି ନୂଆ ଗ୍ରାଜୁଏଟ୍ଙ୍କୁ ଚାକିରି ଦେବା ପରିବର୍ତ୍ତେ AI କିମ୍ବା ରୋବୋଟ୍ ଦ୍ୱାରା କାମ ନେବାକୁ ଅଧିକ ପସନ୍ଦ କରିବେ। ସେହିପରି ୩୦% ଅଧିକାରୀଙ୍କ ମତରେ ପଦବୀ ଖାଲି ରଖିବା ଶ୍ରେୟସ୍କର, କିନ୍ତୁ କୌଣସି ଅଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଉଚିତ୍ ନୁହେଁ।
ଏହାର ମୁଖ୍ୟ କାରଣ:
ଲକ୍ଡାଉନ୍ ସମୟରେ ସ୍କୁଲ-କଲେଜ ବନ୍ଦ ରହିବା, ଅତ୍ୟଧିକ ସ୍କ୍ରିନ୍ ଟାଇମ୍ ଏବଂ ଅନଲାଇନ୍ ପାଠପଢ଼ା ଯୋଗୁଁ ଯୁବପିଢ଼ିଙ୍କର ଲୋକଙ୍କ ସହ ମିଳାମିଶା କମିଯାଇଥିଲା। ଏହି କାରଣରୁ ସେମାନଙ୍କର କମ୍ୟୁନିକେସନ୍ ଏବଂ ସୋସିଆଲ୍ ସ୍କିଲ୍ସ (ସାମାଜିକ ଦକ୍ଷତା) ଦୁର୍ବଳ ହୋଇଯାଇଛି। ବିଶେଷଜ୍ଞମାନଙ୍କ କହିବା କଥା ଯେ, ୨୦୦୦ ମସିହା ପରଠାରୁ କମ୍ପାନୀଗୁଡ଼ିକ ନୂତନ କର୍ମଚାରୀଙ୍କୁ ତାଲିମ ଏବଂ ମାର୍ଗଦର୍ଶନ ଦେବା ଯଥେଷ୍ଟ କମାଇ ଦେଇଛନ୍ତି।
ବିଶେଷଜ୍ଞଙ୍କ ମତ:
ନ୍ୟୁୟର୍କ ୟୁନିଭରସିଟିର ପ୍ରଫେସର ଟେସା ୱେଷ୍ଟଙ୍କ କହିବା ଅନୁଯାୟୀ, ବୈଷୟିକ ଦକ୍ଷତା ସହଜରେ ଶିଖାଯାଇପାରିବ, କିନ୍ତୁ ଲୋକଙ୍କ ସହ କଥାବାର୍ତ୍ତା କରିବା, ମତଭେଦ ସମ୍ଭାଳିବା ଏବଂ ମିଳିମିଶି କାମ କରିବା ଶିଖିବାକୁ ସମୟ ଲାଗିଥାଏ।
ଏହା ବ୍ୟତୀତ ପେନସିଲଭେନିଆ ୟୁନିଭରସିଟିର ପ୍ରଫେସର ପିଟର କ୍ୟାପେଲି କହିଛନ୍ତି ଯେ, ପ୍ରତ୍ୟେକ ନୂତନ ପିଢ଼ିକୁ ଆରମ୍ଭରୁ ଏହିଭଳି ସମାଲୋଚନାର ସାମ୍ନା କରିବାକୁ ପଡ଼ିଥାଏ। କେବଳ ଛାତ୍ରଛାତ୍ରୀ କିମ୍ବା କଲେଜକୁ ଦୋଷ ଦେବା ସଠିକ୍ ନୁହେଁ, କମ୍ପାନୀଗୁଡ଼ିକୁ ମଧ୍ୟ ତାଲିମ ଦେବାକୁ ପଡ଼ିବ।
ସେହିପରି, ତୋସିବା ର ଚିଫ୍ HR ଜେସନ ଡେସେଣ୍ଟଜ୍ ସୂଚନା ଦେଇଛନ୍ତି ଯେ, କଲେଜ ଏବଂ କମ୍ପାନୀଗୁଡ଼ିକ ମିଳିମିଶି ନୂତନ ଯୁବପିଢ଼ିଙ୍କୁ ଅଫିସ୍ କଲଚର, କଥାବାର୍ତ୍ତାର ଶୈଳୀ ଏବଂ AI ର ସଠିକ୍ ବ୍ୟବହାର ନେଇ ଉପଯୁକ୍ତ ତାଲିମ ଦେବା ଆବଶ୍ୟକ।