ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ଅଣ୍ଡା ଦରକୁ ନେଇ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଉତ୍ପାଦନ ବୃଦ୍ଧି ସହ ଆସନ୍ତା ଦିନରେ ଅଣ୍ଡା ଦର ଧୀରେ ଧୀରେ ହ୍ରାସ ପାଇବ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ଅଣ୍ଡାର ଚାହିଦା ବହୁତ ଅଧିକ ରହିଛି। ଏହାସହ ରାଜ୍ୟରୁ ବାହାରକୁ ମଧ୍ୟ ବ୍ୟାପକ ପରିମାଣରେ ଅଣ୍ଡା ରପ୍ତାନି ହେଉଥିବାରୁ ସମ୍ପ୍ରତି ଦର ବୃଦ୍ଧି ପାଇଛି।
ବର୍ତ୍ତମାନ ରାଜ୍ୟରେ ଦୈନିକ ପ୍ରାୟ ୧.୨୫ କୋଟି ଅଣ୍ଡା ଉତ୍ପାଦନ ହେଉଛି। ତେବେ ସରକାର ଏହାକୁ ବଢ଼ାଇ ଦୈନିକ ୨ କୋଟି ଅଣ୍ଡା ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି।
ଏହି ଲକ୍ଷ୍ୟ ପୂରଣ ପାଇଁ କୁକୁଡ଼ା ଚାଷୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ଯୋଗାଇ ଦିଆଯାଉଛି। ଉତ୍ପାଦନ ବଢ଼ିଲେ ବଜାରରେ ଅଣ୍ଡାର ଯୋଗାଣ ସ୍ୱାଭାବିକ ହେବ ଓ ଦର ମଧ୍ୟ ସ୍ଥିର ହୋଇଯିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।