ଭୁବନେଶ୍ୱର: ଓଡ଼ିଶାର ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି। ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ବର୍ଷାର ପ୍ରକୋପ ମଧ୍ୟ ଅନେକ କମିଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ସଦ୍ୟତମ ରିପୋର୍ଟ ଅନୁସାରେ ବର୍ତ୍ତମାନ ଜାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ବନ୍ୟାରେ ପ୍ରଭାବିତ ରହିଛି। ରାଜ୍ୟ ସରକାର ୨୪ ଘଣ୍ଟିଆ ନଜରଦାରୀ ସହ ରିଲିଫ୍, ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
କେଉଁ ଜିଲ୍ଲାରେ କେତେ ପ୍ରଭାବ?
ଯାଜପୁରର ଦଶରଥପୁର ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତ ଓ ୬୨ଟି ଗାଁ ବନ୍ୟା ପ୍ରଭାବିତ। ସେଠାରେ ୨୨ଟି ରିଲିଫ୍ କ୍ୟାମ୍ପରେ ୭,୭୪୫ ଜଣ ଆଶ୍ରୟ ନେଇଛନ୍ତି।
ମୟୂରଭଞ୍ଜରେ ୨୧ଟି ବ୍ଲକ, ୫୩ଟି ଗ୍ରାମ ପଞ୍ଚାୟତ, ୯୭ଟି ଗାଁ ଏବଂ ବାରିପଦା ପୌରପାଳିକାର ୨ଟି ୱାର୍ଡ ପ୍ରଭାବିତ ରହିଛି। ୨୯ଟି ରିଲିଫ୍ କ୍ୟାମ୍ପରେ ୧୦,୫୦୧ ଜଣଙ୍କୁ ଆଶ୍ରୟ ଦିଆଯାଇଛି। ୧୦୪ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୯ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି।
ବାଲେଶ୍ୱରରେ ଭୋଗରାଇ, ବାଲିଆପାଳ, ବସ୍ତା, ରେମୁଣା ଓ ଜଳେଶ୍ୱର ସମେତ ୫ଟି ବ୍ଲକର ୪୧ଟି ଜିପି ଓ ୨୧୪ଟି ଗାଁ ପ୍ରଭାବିତ। ଏଠାରେ ସର୍ବାଧିକ ୭୨ଟି ରିଲିଫ୍ କ୍ୟାମ୍ପରେ ୩୫,୭୪୦ ଜଣଙ୍କୁ ରଖାଯାଇଛି।
୪୭ଟି ଉଦ୍ଧାରକାରୀ ଟିମ୍ ମୁତୟନ
ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୋଟ ୪୭ଟି ଟିମ୍ ମୁତୟନ ରହିଛି। ଏଥିରେ ୨୧ଟି ODRAF, ୪ଟି NDRF ଓ ୨୨ଟି ଅଗ୍ନିଶମ ବାହିନୀ ଟିମ୍ ସାମିଲ। ବାଲେଶ୍ୱରରେ ସର୍ବାଧିକ ୨୫ଟି ଟିମ୍ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
କେବଳ ସୁବର୍ଣ୍ଣରେଖା ବିପଦ ସ୍ତର ଉପରେ
ରାଜ୍ୟର ପ୍ରାୟ ସମସ୍ତ ନଦୀର ଜଳସ୍ତର ହ୍ରାସ ପାଉଥିବା ବେଳେ ବର୍ତ୍ତମାନ କେବଳ ସୁବର୍ଣ୍ଣରେଖା ନଦୀ ବିପଦ ସ୍ତର ଉପରେ ପ୍ରବାହିତ ହେଉଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଜଘାଟରେ ସୁବର୍ଣ୍ଣରେଖାର ଜଳସ୍ତର ୧୦.୮୪ ମିଟର ଥିଲା, ଯାହା ଧୀରେ ଧୀରେ କମୁଛି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ବଂଶଧାରା ଓ ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି।
ହୀରାକୁଦରେ ୪ ଗେଟ୍ ଖୋଲା
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୨୯ ଫୁଟ୍ ରହିଛି। ବର୍ତ୍ତମାନ ୪ଟି ଗେଟ୍ ଖୋଲା ରହିଥିବା ବେଳେ ୧.୪୨ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ ଓ ୭୮,୪୨୯ କ୍ୟୁସେକ୍ ପାଣି ନିଷ୍କାସନ ହେଉଛି।
୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭାରତୀୟ ପାଣିପାଗ ବିଭାଗ (IMD) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବଜ୍ରପାତ ଓ ଘଣ୍ଟାପ୍ରତି ୩୦–୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
SRC କହିଛନ୍ତି, ଜିଲ୍ଲା ପ୍ରଶାସନଗୁଡ଼ିକୁ ଜଳବନ୍ଦୀ ଅଞ୍ଚଳ, ରାସ୍ତା, ଫସଲ ଓ ଦୁର୍ବଳ ଭିତ୍ତିଭୂମି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ରିଲିଫ୍ ଓ ସହାୟତା କାର୍ଯ୍ୟ ଜାରି ରହିବ।