ଭୁବନେଶ୍ୱର: ଔଷଧର ହୋଲସେଲ୍ ଲାଇସେନ୍ସ କରାଇଦେବା ନାଁରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁରର ସହକାରୀ ଔଷଧ ନିୟନ୍ତ୍ରକ ତଥା ଡ୍ରଗ୍ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ପାଖରେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱ ମଧ୍ୟ ରହିଥିଲା।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ୨୦୨୫ ମସିହା ମେ ମାସରେ ଏକ ହୋଲସେଲ୍ ଡ୍ରଗ୍ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଲାଇସେନ୍ସ ଜାରି କରିବା ପାଇଁ ସଞ୍ଜୟ କୁମାର ହାଁସଦା ବାରମ୍ବାର ୬,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ। ଏହି ହଇରାଣ ହେବା ପରେ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଯୋଜନା ମୁତାବକ ଗୁରୁବାର ସଞ୍ଜୟ ଅଭିଯୋଗକାରୀଙ୍କୁ ପାରାଦୀପ–କଟକ ଜାତୀୟ ରାଜପଥ–୫୩ର ଜୟପୁର ଛକରେ ଦେଖା କରିବାକୁ କହିଥିଲେ। ସେଠାରେ ନିଜ ୱାଗନ୍ ଆର୍ କାର (OD‑2L‑3325) ଭିତରେ ସେ ୬ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ଲାଞ୍ଚ ଟଙ୍କାକୁ ଘଟଣାସ୍ଥଳରୁ ଜବତ କରାଯାଇଛି।
ଗିରଫ ପରେ ଭିଜିଲାନ୍ସ ଅଧିକାରୀମାନେ ସଞ୍ଜୟଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏକକାଳୀନ ଚଢ଼ାଉ କରି ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ–୨୦୧୮ର ଧାରା–୭ ଅନୁଯାୟୀ ମାମଲା (କେସ୍ ନଂ–୩୪/୨୦୨୬) ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।