ଭୁବନେଶ୍ୱର: ବହୁଚର୍ଚ୍ଚିତ ଉଦଳାର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ଆସିଛି ବଡ଼ ଆଇନଗତ ମୋଡ଼। ମାମଲାର ଅଭିଯୁକ୍ତ ତଥା ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫୦ ହଜାର ଟଙ୍କାର ବେଲ୍ ବଣ୍ଡ ଏବଂ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଭୀମସେନଙ୍କୁ ଜାମିନ ମିଳିଛି। ତେବେ ଜାମିନ ସହ କଠୋର ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି। ସେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କିମ୍ବା ଧମକ ଦେଇପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
କଣ ଥିଲା ଘଟଣା?
ଗତ ମେ ୪ ତାରିଖରେ କଟକ ତ୍ରିଶୂଳିଆ ନିକଟ କାଠଯୋଡ଼ି ନଦୀରୁ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଚନ୍ଦ୍ରିକା ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ ଛାତ୍ରୀ ଥିଲେ। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ଚନ୍ଦ୍ରିକାଙ୍କ ପରିବାର ତାଙ୍କ ପୁରୁଷବନ୍ଧୁ ଭୀମସେନ ଏବଂ ତାଙ୍କର ନୂଆ ବାନ୍ଧବୀଙ୍କୁ ସିଧାସଳଖ ଭାବେ ମୃତ୍ୟୁ ପାଇଁ ଦାୟୀ କରି ଅଭିଯୋଗ ଆଣିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଭୀମସେନଙ୍କୁ ଗିରଫ କରାଯାଇଥିଲା।
ଚାକିରିରୁ ବହିଷ୍କାର
ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଭିଯୁକ୍ତ ଭୀମସେନ ପ୍ରସାଦ ଟୁଡୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଥିଲେ। ଏହି ପଦକ୍ଷେପକୁ ନେଇ ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଥିଲା। ଏବେ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପରେ ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଏବଂ ବିଚାର ଉପରେ ସମସ୍ତଙ୍କ ନଜର ରହିଛି।