ଢେଙ୍କାନାଳ: ପ୍ରାୟ ୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହଡ଼ପ ମାମଲାରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାରେ ପୂର୍ବତନ IAS ଅଧିକାରୀ ତଥା ଢେଙ୍କାନାଳର ଅବସରପ୍ରାପ୍ତ କଲେକ୍ଟର ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ DRDA ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସ ଏବଂ ସେତେବେଳର ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
କୋର୍ଟ ତିନି ଜଣଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ–୧୯୮୮ର ଧାରା ୧୩(୨) ସହ ୧୩(୧)(ଡି) ଏବଂ IPCର ୪୬୮, ୪୭୧, ୪୨୦ ଓ ୧୨୦-ବି ଧାରାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
କେମିତି ହୋଇଥିଲା ଦୁର୍ନୀତି?
ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୦୦୧–୦୨ ମସିହାରେ ନିତ୍ୟାନନ୍ଦ ମହାନ୍ତି ଢେଙ୍କାନାଳ କଲେକ୍ଟର ଥିବା ସମୟରେ FCI ଗୋଦାମରୁ ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଚାଉଳ ଓ ଗହମ ପରିବହନ ପାଇଁ ସରକାରୀ ନିର୍ଦ୍ଧାରିତ ଦରକୁ ଅଣଦେଖା କରାଯାଇଥିଲା।
ତତ୍କାଳୀନ DRDA ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସଙ୍କ ପ୍ରସ୍ତାବ ଆଧାରରେ କଲେକ୍ଟର ଉଚ୍ଚ ଦରକୁ ଅନୁମୋଦନ କରିଥିଲେ। ଓଡ଼ିଶା ସିଭିଲ୍ ସପ୍ଲାଇ କର୍ପୋରେସନ ନିର୍ଦ୍ଧାରିତ ପରିବହନ ଦରକୁ ଉଲ୍ଲଂଘନ କରି ହାତଲିଖିତ କୋଟେସନ ଗ୍ରହଣ କରାଯାଇ ଠିକାଦାରଙ୍କୁ ଅଧିକ ଅର୍ଥ ପ୍ରଦାନ କରାଯାଇଥିଲା। ଏଥିଯୋଗୁଁ ସରକାରୀ ରାଜକୋଷର ପ୍ରାୟ ୯ ଲକ୍ଷ ଟଙ୍କା କ୍ଷତି ହୋଇଥିଲା।
ପେନ୍ସନ ବନ୍ଦ ପାଇଁ ପଦକ୍ଷେପ
ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ କହିଛି ଯେ, ପୂର୍ବତନ IAS ନିତ୍ୟାନନ୍ଦ ମହାନ୍ତି ଓ ପୂର୍ବତନ DRDA ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସଙ୍କ ପେନ୍ସନ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ।