ନୂଆଦିଲ୍ଲୀ: କ୍ରିକେଟ୍ ଦୁନିଆରେ ଏକ ନୂତନ ଇତିହାସ ସୃଷ୍ଟି ହେବାକୁ ଯାଉଛି। ଭାରତ ଏବଂ ଜାପାନ୍ ମଧ୍ୟରେ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ଏହି ବହୁପ୍ରତୀକ୍ଷିତ ମ୍ୟାଚ୍ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସ୍ୱତନ୍ତ୍ର ମ୍ୟାଚ୍ର ଆୟୋଜନ କରାଯାଉଛି। ଆସନ୍ତା ୨୦୨୬ ସେପ୍ଟେମ୍ବର ୨୨ରେ ଜାପାନର ତୋଚିଗି ପ୍ରାନ୍ତ ସ୍ଥିତ ସାନୋ ଆନ୍ତର୍ଜାତୀୟ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମହାମୁକାବିଲା ଅନୁଷ୍ଠିତ ହେବ।
ଇତିହାସରେ ପ୍ରଥମ ଥର ମୁହାଁମୁହିଁ ହେବେ ଭାରତ ଓ ଜାପାନ୍
କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ଭାରତ ଏବଂ ଜାପାନ୍ ଆନ୍ତର୍ଜାତୀୟ ସ୍ତରରେ କୌଣସି ଫର୍ମାଟ୍ରେ ପରସ୍ପରକୁ ଭେଟିବେ। ବିଶ୍ୱର ଅଗ୍ରଣୀ କ୍ରିକେଟ୍ ଦଳ ଭାବେ ଭାରତ ଜଣାଶୁଣା ଥିବା ବେଳେ, ଜାପାନର କ୍ରିକେଟ୍ ଦଳ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ ସେତେଟା ପରିଚିତି ହାସଲ କରିପାରି ନାହିଁ। ତେଣୁ ଏହି ରୋମାଞ୍ଚକର ମ୍ୟାଚ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
'ସ୍ପୋର୍ଟ ୭୫' ପଦକ୍ଷେପର ଏକ ଅଂଶ
ବିସିସିଆଇ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ମ୍ୟାଚ୍ 'ସ୍ପୋର୍ଟ ୭୫' ପଦକ୍ଷେପର ପ୍ରଥମ ପଦକ୍ଷେପ ଅଟେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ମଧ୍ୟରେ ହୋଇଥିବା ବୈଠକରୁ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ରୀଡ଼ା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ଜନସାଧାରଣଙ୍କ ଆଦାନପ୍ରଦାନକୁ ବୃଦ୍ଧି କରିବା, ଯାହାକି ୨୦୩୬ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ମହତ୍ତ୍ୱାକାଂକ୍ଷାକୁ ମଧ୍ୟ ପ୍ରୋତ୍ସାହିତ କରିବ।
ବିସିସିଆଇ ସଚିବଙ୍କ ପ୍ରତିକ୍ରିୟା
ଏହି ଐତିହାସିକ ମ୍ୟାଚ୍ ସମ୍ପର୍କରେ ମତ ରଖି ବିସିସିଆଇ ସଚିବ ଦେବଜୀତ୍ ସୈକିଆ କହିଛନ୍ତି ଯେ, ଏଭଳି ଏକ ସ୍ୱତନ୍ତ୍ର ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଭାରତ ଓ ଜାପାନର ପୁରୁଷ ଦଳ ଏକାଠି ହୋଇଥିବାରୁ ବୋର୍ଡ ଅତ୍ୟନ୍ତ ଆନନ୍ଦିତ। ଏହା କ୍ରିକେଟ୍ ପାଇଁ ଏକ ବଡ଼ ସଫଳତା। ଏହାଦ୍ୱାରା ଭାରତୀୟ ଦଳ ଏକ ନୂତନ ସ୍ଥାନରେ ପହଞ୍ଚିବା ସହ ଜାପାନ୍ ଏବଂ ପୂର୍ବ ଏସିଆରେ କ୍ରିକେଟ୍ର ପ୍ରସାର ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି।