ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ (CSK) ର ପୂର୍ବତନ ଅଧିନାୟକ ତଥା କ୍ରିକେଟ୍ ଜଗତର ଅନ୍ୟତମ ସଫଳ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ IPL ଭବିଷ୍ୟତକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଆଇପିଏଲ୍ ସଂସ୍କରଣରେ ଧୋନି ଆଉ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ମଇଦାନକୁ ଓହ୍ଲାଇବେ ନାହିଁ ବୋଲି CSKର ପୂର୍ବତନ ବ୍ୟାଟର ସୁବ୍ରମଣ୍ୟମ ବଦ୍ରିନାଥ ଏକ ବଡ଼ ଦାବି କରିଛନ୍ତି। ୪୫ ବର୍ଷୀୟ ଏହି ପୂର୍ବତନ ଭାରତୀୟ ୱିକେଟକିପର ଆଣ୍ଠୁ ସମସ୍ୟା ଯୋଗୁଁ ବିଗତ ଦିନରେ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ଖେଳିବା ନେଇ ବଦ୍ରିନାଥ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହି ନୂଆ ତଥ୍ୟ ରଖିଛନ୍ତି।
ସୁବ୍ରମଣ୍ୟମ ବଦ୍ରିନାଥଙ୍କ କହିବା ଅନୁଯାୟୀ, ଧୋନି ତାଙ୍କୁ ବ୍ୟକ୍ତିଗତ ଭାବେ ଜଣାଇଛନ୍ତି ଯେ ସେ ଆଦୌ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ଖେଳିବାକୁ ଚାହୁଁନାହାନ୍ତି। ଧୋନି ଜଣେ ପୂର୍ଣ୍ଣକାଳୀନ ୱିକେଟକିପର-ବ୍ୟାଟର ଭାବେ ହିଁ ଦଳ ସହ ଯୋଡ଼ି ହୋଇ ରହିବାକୁ ପସନ୍ଦ କରନ୍ତି। ସେ ଯଦି ଖେଳିବେ, ତେବେ ୱିକେଟକିପିଂ କରିବା ସହ ପୂରା ୨୦ ଓଭର ପଡ଼ିଆରେ ରହି ଦଳକୁ ସହଯୋଗ କରିବେ।
ବଦ୍ରିନାଥଙ୍କ ମତରେ, ଯଦିଓ ଧୋନି ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳନ୍ତେ, ତେବେ ସିଏସ୍କେ ପାଇଁ ରଣନୈତିକ ଫାଇଦା ହୁଅନ୍ତା। ଶରୀର ଉପରେ ଅଧିକ ଚାପ ନଦେଇ ସେ ଶେଷ ଓଭରଗୁଡ଼ିକରେ ବ୍ୟାଟିଂ ଏବଂ କିପିଂ କରିପାରନ୍ତେ। କିନ୍ତୁ ମାହି କେବଳ ଆଂଶିକ ଭାବେ ମ୍ୟାଚ୍ର ଅଂଶବିଶେଷ ହେବାକୁ ପସନ୍ଦ କରୁନାହାନ୍ତି।
ସୂଚନାଯୋଗ୍ୟ, ମହେନ୍ଦ୍ର ସିଂହ ଧୋନି ନିଜ ଆଇପିଏଲ୍ କ୍ୟାରିୟରରେ ଏପର୍ଯ୍ୟନ୍ତ ୨୭୮ଟି ମ୍ୟାଚ୍ର ୨୪୨ଟି ଇନିଂସରୁ ୩୮.୩୦ ହାରାହାରି ଏବଂ ୧୩୭.୪୫ ଷ୍ଟ୍ରାଇକ୍ ରୋଟ୍ରେ ୫,୪୩୯ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨୪ଟି ଅର୍ଦ୍ଧଶତକ ସାମିଲ ରହିଛି। ଫିଟ୍ନେସ୍ ସମସ୍ୟା ଓ ବୟସସୀମା ସତ୍ତ୍ୱେ, ଧୋନି ନିଜର ସମ୍ପୂର୍ଣ୍ଣ ଯୋଗଦାନ ଦେଇ ପୂର୍ଣ୍ଣାଙ୍ଗ ଖେଳାଳି ଭାବେ ହିଁ ପଡ଼ିଆକୁ ଓହ୍ଲାଇବାକୁ ଚାହୁଁଥିବାରୁ ଏହା ସିଏସ୍କେ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି।