ନୂଆଦିଲ୍ଲୀ: ଚର୍ଚ୍ଚିତ ନିଶୁ ଆଜାଦ ମାମଲାକୁ ନେଇ ଦିନକୁ ଦିନ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ଭରଦ୍ୱାଜଙ୍କ ବିରୋଧରେ ସେ ଆନୁଷ୍ଠାନିକ ଭାବେ ଅଭିଯୋଗ ଦାୟର କରିବା ସହ ଦିଲ୍ଲୀ ପୋଲିସକୁ ଏହାର ଏକ ନିରପେକ୍ଷ ତନ୍ଦନ୍ତ କରିବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏକ ପଡ୍କାଷ୍ଟ୍ ସମୟରେ ଜନ୍ତର-ମନ୍ତର ପ୍ରତିବାଦ ଘଟଣାକୁ ନେଇ ସ୍ୱତନ୍ତ୍ର ଭରଦ୍ୱାଜ କିଛି ମନ୍ତବ୍ୟ ଦେଇଥିଲେ ଏବଂ ସେଥିରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଓ କପିଲ ମିଶ୍ରାଙ୍କ ନାଁ ବ୍ୟବହାର କରିଥିଲେ। ଏହାକୁ କଡ଼ା ବିରୋଧ କରି ଚିରାଗ ପାସୱାନ କହିଛନ୍ତି ଯେ, ଜଣେ ବ୍ୟକ୍ତି ପଡ୍କାଷ୍ଟରେ ଏପରି ମନ୍ତବ୍ୟ ଦେବା ଏବଂ ମାର୍ପିଟ୍କୁ ଖୋଲାଖୋଲି ସ୍ୱୀକାର କରିବା ଅତ୍ୟନ୍ତ ନିନ୍ଦନୀୟ।
ଯଦି ଏଭଳି ଘଟଣା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ତେବେ ଏହା ସମାଜରେ ଏକ ଭୁଲ୍ ବାର୍ତ୍ତା ଦେବ। ମୋ ନାଁର ଅପବ୍ୟବହାର କରାଯାଇଥିବାରୁ ମୁଁ ଆଇନଗତ ଭାବେ ଅଭିଯୋଗ ଆଣିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ନିଶୁ ଆଜାଦଙ୍କ ପରିବାର ପ୍ରତି ସମର୍ଥନ
ନିଶୁ ଆଜାଦଙ୍କ ପିତା ସଞ୍ଜୟ କୁମାରଙ୍କୁ ଆକ୍ରମଣ ପ୍ରସଙ୍ଗରେ ମତ ରଖି ଚିରାଗ ପାସୱାନ କହିଛନ୍ତି ଯେ, ମୋ ଏବଂ ମୋ ଦଳ ନାଁରେ ଯେଉଁ ଭିତ୍ତିହୀନ ଅଭିଯୋଗ ଅଣାଯାଇଛି ତାହା ସମ୍ପୂର୍ଣ୍ଣ ଅମୂଳକ। ଏଭଳି ସ୍ଥିତିରେ ମୁଁ ଏବଂ ମୋ ଦଳ ସମ୍ପୂର୍ଣ୍ଣ ଭାବେ ନିଶୁ ଓ ତାଙ୍କ ପରିବାର ସହିତ ମଜବୁତ ଭାବେ ଠିଆ ହୋଇଛୁ। ପରିବାରକୁ ନ୍ୟାୟ ଦେବା ଏବଂ ଆଇନକୁ ହାତକୁ ନେଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।