ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛନ୍ତି। ତାଙ୍କ କ୍ରିକେଟ୍ କ୍ୟାରିୟରର ଏହି ଐତିହାସିକ ସଫଳତାକୁ ଦୃଷ୍ଟିରେ ରଖି କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (CAB) ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ସାମି ଖୁବ୍ ଶୀଘ୍ର ନିଜର ୧୦୦ତମ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି।
ମହମ୍ମଦ ଶାମି ଆନ୍ତର୍ଜାତୀୟ କ୍ରିକେଟ୍ ସାଙ୍ଗକୁ ଘରୋଇ କ୍ରିକେଟ୍ରେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଶାମି ଯେତେବେଳେ ତାଙ୍କ କ୍ୟାରିୟରର ଶହେତମ ପ୍ରଥମ ଶ୍ରେଣୀ ମ୍ୟାଚ୍ ମଇଦାନକୁ ଓହ୍ଲାଇବେ, ସେତେବେଳେ ସଂସ୍ଥା ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ। ବେଙ୍ଗଲ କ୍ରିକେଟ୍ ପାଇଁ ତାଙ୍କର ଏହି ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସିଏବି ପକ୍ଷରୁ କୁହାଯାଇଛି।
ଏହି ସମ୍ମାନ ସମାରୋହ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପୂର୍ବାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ ମଧ୍ୟରେ ହେବାକୁ ଥିବା ଦୁଲୀପ ଟ୍ରଫି ଫାଇନାଲ୍ ମ୍ୟାଚର ପ୍ରଥମ ଦିନରେ ଆୟୋଜିତ କରାଯିବ । ପୂର୍ବାଞ୍ଚଳକୁ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ମହମ୍ମଦ ଶାମିଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେ ମଧ୍ୟାଞ୍ଚଳ ବିପକ୍ଷରେ ୫ ସଫଳତା ହାସଲ କରିଥିଲେ ।
ଏାମି ଏ ପର୍ଯ୍ୟନ୍ତ ୯୯ ପ୍ରଥମ ଶ୍ରେଣୀ ମ୍ୟାଚରେ ୩୮୨ ଓିକେଟ୍ ନେଇଛନ୍ତି । କୌଣସି ଗୋଟିଏ ଇନିଂସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୯୦/୮ ରହିଛି । ସମ୍ମାନ ସମାରୋହରେ ଶାମିଙ୍କୁ ସିଏବି ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସମ୍ମାନିତ କରିବେ ।
ଜଣେ ସଫଳ ଦ୍ରୁତ ବୋଲର ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ସାମି ଆହତ ସମସ୍ୟାରୁ ସୁସ୍ଥ ହୋଇ ପୁଣିଥରେ ମଇଦାନକୁ ଫେରିବା ପରେ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ତାଙ୍କର ଏହି ନୂତନ ସଫଳତା କେବଳ ତାଙ୍କ ବ୍ୟକ୍ତିଗତ କ୍ୟାରିୟର ପାଇଁ ନୁହେଁ, ବରଂ ବେଙ୍ଗଲ କ୍ରିକେଟ୍ ପାଇଁ ମଧ୍ୟ ଏକ ଗର୍ବର ବିଷୟ ଅଟେ।