ନୂଆଦିଲ୍ଲୀ: ଗଞ୍ଜେଇ କିମ୍ବା ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରି ବିମାନ ଚଳାଇବା ଅଭିଯୋଗରେ ଏୟାର ଇଣ୍ଡିଆ ପକ୍ଷରୁ ଜଣେ ପାଇଲଟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚାକିରିରୁ ବହିଷ୍କାର କଲା ଏୟାର ଇଣ୍ଡିଆ। ଥାଇଲ୍ୟାଣ୍ଡର ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଘଟିଥିବା ଭୟଙ୍କର ଘଟଣା ପରେ ଏହି ପଦକ୍ଷେପ ନିଆଯାଇଛି।
ସୂଚନା ଅନୁଯାୟୀ, ଗତ ୨୦୨୬ ଅଗଷ୍ଟ ୪ରେ ଏୟାର ଇଣ୍ଡିଆର ଫ୍ଲାଇଟ୍ ଏଆଇ-୨୩୭୯ (ଏୟାରବସ୍ ଏ୩୨୦ନିଓ) ଫୁକେଟ୍ରୁ ୧୩୭ ଜଣ ଯାତ୍ରୀ ଏବଂ ୮ ଜଣ କ୍ରୁ ମେମ୍ବରଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ବିମାନଟି ୩୬,୦୦୦ ଫୁଟ୍ ଉଚ୍ଚତାରେ ଆକାଶରେ ଉଡ଼ୁଥିବା ସମୟରେ ହଠାତ୍ ଏହାର ସମସ୍ତ ତିନୋଟି ହାଇଡ୍ରୋଲିକ୍ ସିଷ୍ଟମ୍ ଏକ ସାଙ୍ଗରେ କାମ କରିବା ବନ୍ଦ କରିଦେଇଥିଲା। ଫଳରେ ଅଟୋପାଏଲଟ୍ ସିଷ୍ଟମ୍ ଡିସ୍କନେକ୍ଟ ହୋଇଯିବା ସହ କିଛି ସମୟ ପାଇଁ 'ଷ୍ଟଲ୍ ୱାର୍ଣ୍ଣିଂ' ବାଜିଥିଲା।
ଏହି ବୈଷୟିକ ତ୍ରୁଟି କାରଣରୁ ବିମାନଟି ହଠାତ୍ ପ୍ରାୟ ୨୯୨ ଫୁଟ୍ ତଳକୁ ଖସିପଡ଼ିଥିଲା। ସେହି ସମୟରେ ସିଟ୍ ବେଲ୍ଟ ସାଇନ୍ ବନ୍ଦ ଥିବାରୁ ଏହି ହଠାତ୍ ହୋଇଥିବା ପରିବର୍ତ୍ତନ ଯୋଗୁଁ ୨୦ ଜଣ ଯାତ୍ରୀ ଏବଂ ୪ ଜଣ କେବିନ୍ କ୍ରୁ ସମେତ ମୋଟ ୨୪ ଜଣ ଆହତ ହୋଇଥିଲେ। ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ଖରାପ ପାଗ ଓ ଟର୍ବୁଲେନ୍ସ ବୋଲି କୁହାଯାଇଥିଲେ ମଧ୍ୟ ପରେ ଏହାର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା।
ବିମାନଟି ଦିଲ୍ଲୀରେ ସୁରକ୍ଷିତ ଅବତରଣ କରିବା ପରେ ଉଭୟ ପାଇଲଟଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ବ୍ରେଥ୍ ଆନାଲିଜର ଟେଷ୍ଟରେ ମଦ୍ୟପାନ କରିନଥିବା ଜଣାପଡ଼ିଥିଲେ ହେଁ, ସାଇକୋଆକ୍ଟିଭ୍ ପଦାର୍ଥ (ଡ୍ରଗ୍ସ) ପରୀକ୍ଷାରେ ପାଇଲଟ୍-ଇନ୍-କମାଣ୍ଡଙ୍କ ରିପୋର୍ଟ ପଜିଟିଭ୍ ବା 'ନନ୍-ନେଗେଟିଭ୍' ଆସିଥିଲା। ପରେ ରକ୍ତ ନମୁନା ପରୀକ୍ଷାରୁ ମଧ୍ୟ ଏହା ସ୍ପଷ୍ଟ ହୋଇଥିଲା ଯେ ମୁଖ୍ୟ ପାଇଲଟ୍ ନିଶା ସେବନ କରିଥିଲେ।
ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ଏହାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଜାରି କରିଛି। ତେବେ ପାଇଲଟ୍ ନିଶାଗ୍ରସ୍ତ ଥିବା କାରଣରୁ ହାଇଡ୍ରୋଲିକ୍ ସିଷ୍ଟମ୍ ଫେଲ୍ ହୋଇଥିଲା କି ନାହିଁ, ତାହା ରିପୋର୍ଟରେ ସ୍ପଷ୍ଟ କରାଯାଇ ନାହିଁ।
ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ବିମାନ ଚଳାଚଳ କ୍ଷେତ୍ରରେ ସୁରକ୍ଷା ଏବଂ ନିୟମକୁ ନେଇ କମ୍ପାନୀର 'ଜିରୋ ଟଲରେନ୍ସ ପଲିସି' ରହିଛି। ତେଣୁ ନିୟମ ଉଲ୍ଲଂଘନ ଏବଂ ଡ୍ରଗ୍ ଟେଷ୍ଟରେ ଫେଲ୍ ହେବା ଅଭିଯୋଗରେ ଏୟାର ଇଣ୍ଡିଆ ସମ୍ପୃକ୍ତ ପାଇଲଟ୍-ଇନ୍-କମାଣ୍ଡଙ୍କୁ ତତକ୍ଷଣାତ୍ ଚାକିରିରୁ ବାହାର କରିଦେଇଛି। AAIB ଏହି ଘଟଣାକୁ ଗୁରୁତର ସହ ନେଇ ଡିଜିସିଏକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି।