ନୂଆଦିଲ୍ଲୀ: ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଏକ ରୋମାଞ୍ଚକର ତ୍ରିକୋଣୀୟ ସିରିଜ୍ ମୁକାବିଲାରେ ରେକର୍ଡର ପାହାଡ଼ ଛିଡ଼ା ହୋଇଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ମାତ୍ର ୧୧ ରନ୍ରେ ବିଜୟୀ ହୋଇଥିବାବେଳେ, ଉଭୟ ଦଳ ମିଳିତ ଭାବେ ମ୍ୟାଚ୍ରେ ମୋଟ ୪୪୫ ରନ୍ ସଂଗ୍ରହ କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।
୪୪୫ ରନ୍ର ସର୍ବବୃହତ ମୋଟ ସ୍କୋର୍ ରେକର୍ଡ
ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୨୮ ରନ୍ କରିଥିଲା। ଏହାର ଜବାବରେ ନାମିବ୍ୟା ଦଳ ମଧ୍ୟ ଦମଦାର ପ୍ରଦର୍ଶନ କରି ୨୦ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା। ଯଦିଓ ନାମିବ୍ୟା ଶେଷ ମୁହୂର୍ତ୍ତରେ ମ୍ୟାଚ୍ ହାରିଯାଇଥିଲା, ତଥାପି ଉଭୟ ଇନିଂସର ମୋଟ ସ୍କୋର୍ ୪୪୫ ରନ୍ରେ ପହଞ୍ଚି ଟି-୨୦ କ୍ରିକେଟ୍ରେ ଏକ ନୂତନ ଇତିହାସ ରଚିଛି।
ପ୍ରିଟୋରିୟସ୍ଙ୍କ ବିସ୍ଫୋରକ ଶତକ
ୱିଣ୍ଡୋକ୍ର ନାମିବ୍ୟା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନାମିବ୍ୟା ଟସ୍ ଜିତି ପ୍ରଥମେ ବୋଲିିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନିଂ କରିବାକୁ ଆସିଥିବା ଲୁଆନ୍-ଡ୍ରେ ପ୍ରିଟୋରିୟସ୍ ଏକ ଧୂଆଁବାଣ ଇନିଂସ ଖେଳି ମାତ୍ର ୫୩ ବଲ୍ରୁ ୫ଟି ଚୌକା ଓ ୮ଟି ଛକା ସହାୟତାରେ ୧୦୧ ରନ୍ର ଶତକୀୟ ପାଳି ଖେଳିଥିଲେ। ତାଙ୍କ ସାଥୀ ଓପନର୍ କନର ଏଷ୍ଟରହୁଇଜେନ୍ ୪୦ ବଲ୍ରୁ ୮୮ ରନ୍ (୬ ଚୌକା, ୮ ଛକା) କରିଥିଲେ। ଉଭୟେ ପ୍ରଥମ ୱିକେଟ୍ ପାଇଁ ମାତ୍ର ୬୯ ବଲ୍ରୁ ୧୫୬ ରନ୍ର ଭାଗୀଦାରୀ କରିଥିଲେ।
ଶେଷ ଓଭରରେ ହାରିଲା ନାମିବ୍ୟା
ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ନାମିବ୍ୟାର ଆରମ୍ଭ ମଧ୍ୟ ବେଶ୍ ଚମତ୍କାର ରହିଥିଲା। ଲୋରେନ୍ ଷ୍ଟୈନକ୍ୟାମ୍ପ୍ ଏବଂ ଜାନ ଫ୍ରାଇଲିଙ୍କ୍ ପ୍ରଥମ ୱିକେଟ୍ ପାଇଁ ୧୧୯ ରନ୍ର ପାର୍ଟନରସିପ୍ କରିଥିଲେ। ମାତ୍ର ଷ୍ଟୈନକ୍ୟାମ୍ପ୍ ଆହତ ହୋଇ 'ରିଟାୟାର୍ଡ ହର୍ଟ' ହେବାରୁ ଦଳକୁ ବଡ଼ ଝଟକା ଲାଗିଥିଲା। ଶେଷ ଓଭରରେ ଜିତିବା ପାଇଁ ୨୪ ରନ୍ ଆବଶ୍ୟକ ଥିବାବେଳେ ଦଳ ମାତ୍ର ୧୨ ରନ୍ କରିପାରିଥିଲା ଏବଂ ଦକ୍ଷିଣ ଆଫ୍ରିକା ୧୧ ରନ୍ରେ ମ୍ୟାଚ୍ ଜିତି ନେଇଥିଲା।