ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତୀୟ ସେନାର ମେଗା ନିଯୁକ୍ତି ରାଲି। ଦେଶସେବାର ସ୍ୱପ୍ନ ନେଇ ଓଡ଼ିଶା, ପଶ୍ଚିମବଙ୍ଗ ଓ ସିକ୍କିମରୁ ହଜାର ହଜାର ଯୁବକ ଏହି ଭର୍ତ୍ତି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
ଅଗ୍ନିବୀର ଚୟନ ପାଇଁ ପ୍ରାର୍ଥୀମାନଙ୍କର ଶାରୀରିକ ଦକ୍ଷତା, ଦୌଡ଼ ଓ ଅନ୍ୟାନ୍ୟ ମାନଦଣ୍ଡ ଅନୁସାରେ ପରୀକ୍ଷା କରାଯାଉଛି। ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାର ୧୦ଟି ଜିଲ୍ଲାର ଯୁବକଙ୍କ ପାଇଁ ସ୍ୱତନ୍ତ୍ର ଚୟନ ପ୍ରକ୍ରିୟା ଆରମ୍ଭ ହେବ।
ଚଳିତ ବର୍ଷ ଓଡ଼ିଶାରୁ ପ୍ରାୟ ୫,୦୦୦ ଅଗ୍ନିବୀର ଚୟନ କରିବାକୁ ଭାରତୀୟ ସେନା ଲକ୍ଷ୍ୟ ରଖିଛି। ସେଥିରୁ ୧,୫୦୦ ପଦ କେବଳ ଉପକୂଳ ଓଡ଼ିଶାର ୧୦ଟି ଜିଲ୍ଲା ପାଇଁ ଧାର୍ଯ୍ୟ କରାଯାଇଛି।
ଜଗତସିଂହପୁର ଜିଲ୍ଲା ଶ୍ରମ ଅଧିକାରୀ ଅଜିତ କୁମାର ଉତ୍ତରାଇଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ରାଲି ଚାଲିବ। ପ୍ରାୟ ୭,୦୦୦ ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିବେ ଏବଂ ରାଜ୍ୟରେ ତିନୋଟି ଜୋନ୍ରେ ଏହି ଭର୍ତ୍ତି ଅଭିଯାନ ପରିଚାଳିତ ହେଉଛି।
ରାଲିର ଶେଷ ତିନି ଦିନ କ୍ଲାର୍କ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଯୁବପିଢ଼ିଙ୍କ ଉତ୍ସାହ ଓ ଦେଶସେବାର ଜଜ୍ବାରେ ପାରାଦୀପ ଷ୍ଟାଡିୟମ ଏବେ ସେନା ଭର୍ତ୍ତିର କେନ୍ଦ୍ରବିନ୍ଦୁ ପାଲଟିଛି।