ବାରିପଦା: ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ ପଡିବାରୁ ତାର ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣକ ହେଲେ ଅଜୟ ପାତ୍ରଙ୍କ ପୁଅ ବାଦଲ ପାତ୍ର (୧୧) ।
ମିଳିଥିବା ସୂଚନା ଅନୁଯାୟୀ, ମଧୁବନ ତଳସାହି ଅଞ୍ଚଳର ଅଜୟ ପାତ୍ରଙ୍କ ପୁଅ ବାଦଲ ଗତକାଲି ରିଲିଫ ଖାଦ୍ୟ ନେଇ ଘରକୁ ଫେରିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ଅଜୟଙ୍କ କହିବା ଅନୁଯାୟୀ ବନ୍ୟାରେ ତାଙ୍କ ଘରଟି ବୁଡିଯାଇଥିବାରୁ ଗତକାଲି ତାଙ୍କ ପୁଅ ବାଦଲ ମଧୁବନ ବିଦ୍ୟାଳୟକୁ ରିଲିଫ୍ ଖାଦ୍ୟ ଆଣିବାକୁ ଯାଇଥିଲେ । ରିଲିଫ୍ ନେଇ ଫେରୁଥିବାବେଳେ ବାଟରେ ଏକ ନଡ଼ିଆ ଗଛରୁ ହଠାତ୍ ନଡ଼ିଆ ଖସି ତା ମୁଣ୍ଡରେ ପଡିଥିଲା। ବାଦଲ ଘରକୁ ଫେରି ତାର ମୁଣ୍ଡରେ ଯନ୍ତ୍ରଣା ହେଉଥିବା କହିଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ବାଦଲକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ସବୁ କିଛି ଶେଷ ହୋଇସାରିଥିଲା । ଡାକ୍ତର ବାଦଲକୁ ମୃତ ଘୋଷଣା କରିଥିଲେ ।
ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।