ପୁରୀ: ନିଶାଶକ୍ତ ସ୍ୱାମୀର ଉନ୍ମତ କାଣ୍ଡ । ସାମାନ୍ୟ ପାରିବାରିକ କଳହରୁ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜିଅନ୍ତା ନିଆଁ ଲଗାଇଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅଞ୍ଚଳରେ । ଗୁରୁତର ସରୋଜିନୀ ମଲ୍ଲିକଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ପ୍ରାପ୍ତ ସୂଚନା ମୁତାବକ, ଗତକାଲି ରାତିରେ ବିକ୍ରମ କୁମାର ମଲ୍ଲିକ ଏବଂ ତାଙ୍କ ପତ୍ନୀ ସରୋଜିନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହା ପରେ ବିକ୍ରମ ପେଟ୍ରୋଲ ଢାଳି ସ୍ତ୍ରୀକୁ ଜୀବନ୍ତ ଜାଳି ଦେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସରୋଜିନୀ ଚିତ୍କାର କରିବାରୁ ପଡ଼ୋଶୀ ଧାଇଁ ଆସିଥିଲେ । ସରୋଜିନୀଙ୍କୁ ଜଳୁ ଥିବାର ଦେଖି ତୁରନ୍ତ ନିଆଁ ଲିଭାଇ ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ରହିଥିବାବେଳେ ଏମ୍ସର ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କ ଶରୀର ପ୍ରାୟ 80 ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି ।
କୁମ୍ଭାରପଡ଼ା ଥାନା ପୋଲିସ କେସ୍ ନଂ-୪୫୩/୨୦୨୬ ରୁଜୁ କରିଛି । ଅଭିଯୁକ୍ତ ସ୍ୱାମୀ ବିକ୍ରମ ମଲ୍ଲିକକୁ ଅଟକ ରଖି ପଚରାଉଚରା କରୁଛି ।