ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଗ୍ରୁପ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଅବସର ନେଇଛନ୍ତି । ସେ ଭାରତୀୟ ବାୟୁସେନାରୁ ସ୍ୱେଚ୍ଛାକୃତ ଅବସର ନେଇ ଏକ ଘରୋଇ ବିମାନ କମ୍ପାନୀ ପାଇଁ କାମ କରୁଥିବା ଜଣାପଡ଼ିଛି । ତେବେ ଅଭିନନ୍ଦନଙ୍କ ଅବସର ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିପାରି ନାହିଁ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅଭିନନ୍ଦନ ବର୍ଦ୍ଧମାନ ଗତ ୩୧ ମାର୍ଚ୍ଚରୁ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ଏହା ପରେ ସେ ଏଫ୍ଏଲୱାଇ୯୧ (Fly91) ନାମକ ଏକ ଘରୋଇ କମ୍ପାନୀ ସହିତ କାମ କରୁଛନ୍ତି । ଏଫ୍ଏଲୱାଇ୯୧ ମୁଖପାତ୍ର ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି । କର୍ମଚାରୀଙ୍କ ବ୍ୟକ୍ତିଗତ ସୁରକ୍ଷାକୁ ପ୍ରାଥମିକତାରେ ରଖି ସେ କୌଣସି ସୂଚନା ଦେବାକୁ ମନା କରିଛନ୍ତି ।
ଏଫ୍ଏଲୱାଇ୯୧ ଏକ ଘରୋଇ ବିମାନ କମ୍ପାନୀ ଅଟେ । ଏହା ୨୦୨୪ରୁ ଆରମ୍ଭ ହୋଇଛି । କମ୍ପାନୀର ବର୍ତ୍ତମାନ ୬ଟି ଏଟିଆର୍ ଚାଲୁଛି । ଏହାର ପରିଚାଳନା କେନ୍ଦ୍ର ଗୋଆ ଏବଂ ହ୍ରାଇଦ୍ରାବାଦରେ ଅଛି ।
ଉଲ୍ଲେଖ ଯୋଗ୍ୟ, ଗତ ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଅନେକ ଆତଙ୍କୀଠିକଣାକୁ ଧ୍ୱଂସ କରିଥିଲା । ଏହି ସମୟରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ବାୟୁସେନାର ମିଗ୍-୨୧ ଯୁଦ୍ଧ ବିମାନକୁ ପରିଚାଳନା କରୁଥିଲେ । ସେ ପାକିସ୍ତାନର ଏଫ୍-୧୬ ବିମାନକୁ ଧ୍ୱଂସ କରିଥିଲେ ।
ଏହା ପରେ ଅଭିନନ୍ଦନଙ୍କ ବିମାନ ପାକିସ୍ତାନୀ ସେନା ଟାର୍ଗେଟ୍ କରିଥିଲା । ତେବେ ଅଭିନନ୍ଦନଙ୍କ ବିମାନ ସୀମା ଅତିକ୍ରମ କରି ପାକିସ୍ତାନରେ ପହଁଚିଥିଲା । ଦ୍ୱିପାକ୍ଷିକ ଆଲୋଚନା ପରେ ଅଭିନନ୍ଦନକୁ ୬୦ ଘଣ୍ଟା ପରେ ପାକିସ୍ତାନ ସେନା ତାଙ୍କୁ ଛାଡ଼ିଥିଲା ।
ନଭେମ୍ବର ୨୦୨୧ରେ ସେ ୱିଙ୍ଗ୍ କମାଣ୍ଡରରୁ ଗ୍ରୁପ କ୍ୟାପଟେନକୁ ପଦୋନ୍ନତି ପାଇଥିଲେ । ତାଙ୍କର ଏହି ଅସାଧାରଣ ବୀରତ୍ୱ ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ‘ବୀର ଚକ୍ର’ ସମ୍ମାନରେ ସମ୍ମାନୀତ କରାଯାଇଛି । ସେ ବାୟୁସେନାର ଦୀର୍ଘ ୨୨ ବର୍ଷ କାମ କରିବା ପରେ ଚଳିତ ବର୍ଷ ମାର୍ଚ୍ଚରେ ଚାକିରୀରୁ ଅବସର ନେଇଛନ୍ତି ।